ନୂଆଦିଲ୍ଲୀ: ‘ପୁଷ୍ପା-୨’ଷ୍ଟାର ଅଲ୍ଲୁ ଅର୍ଜୁନ ଜେଲରୁ ମୁକୁଳି ଘରକୁ ଫେରିଛନ୍ତି । ଅଦାଲତ ତାଙ୍କୁ ଜାମିନ ଦେବା ପରେ ସେ ଆଜି ଜେଲରୁ ବାହାରି ଆସିଛନ୍ତି । ଅଲ୍ଲୁ ଅର୍ଜୁନଙ୍କୁ ତଳ ଅଦାଲତ ୧୪ ଦିନିଆ ରିମାଣ୍ଡରେ ପଠାଇବା ପରେ ତେଲେଙ୍ଗାନା ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁରୀ ଦେଇଛନ୍ତି । କିନ୍ତୁ ଗୋଟିଏ ରାତି ତାଙ୍କୁ ଜେଲରେ କାଟିବାକୁ ପଡ଼ିଛି । ଜେଲରୁ ମୁକୁଳିବା ପରେ ଘରକୁ ଫେରି ସେ ଇମୋସନାଲ ଥିବା ଦେଖାଯାଇଛି । ତେବେ ଜେଲରେ କେମିତି କଟିଛି ଅଲ୍ଲୁ ଅର୍ଜୁନଙ୍କ ରାତି? ଗିରଫ ହେବା ପରେ ସାଉଥର ସୁପରଷ୍ଟାରଙ୍କୁ ଭିଆଇପି ଟ୍ରିଟମେଣ୍ଟ ମିଳି ନଥିବା ଜାଣିବାକୁ ମିଳିଛି ।
ସାରା ଭାରତ ପାଇଁ ଅଲ୍ଲୁ ଅର୍ଜୁନ ହେଉଛନ୍ତି ଜଣେ ସୁପରଷ୍ଟାର । କିନ୍ତୁ ଆଇନ ଆଗରେ ସମସ୍ତେ ସମାନ । ଯାହା କାଲି ପ୍ରମାଣ ହୋଇଯାଇଛି । ହାଇଦ୍ରାବାଦ ହଲ୍ ଦଳାଚକଟା ମାମଲାରେ ହାଇଦ୍ରାବାଦ ପୋଲିସ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି । ତେବେ ପରେ ଜାମିନ ପାଇ ଜେଲରୁ ମୁକୁଳିଛନ୍ତି ପୁଷ୍ପା ଫେମ୍ ଅଲ୍ଲୁ । କିନ୍ତୁ କୋର୍ଟଙ୍କ ଆଦେଶ ସଠିକ ସମୟରେ ପହଞ୍ଚି ନ ପାରିବାରୁ ସୁପରଷ୍ଟାରଙ୍କୁ ଗୋଟିଏ ରାତି ଜେଲରେ କାଟିବାକୁ ପଡ଼ିଛି । ତେବେ ରିପୋର୍ଟ ମୁତାବକ, ଜେଲ ଭିତରେ ତାଙ୍କୁ କୌଣସି ପ୍ରକାରର ଭିଆଇପି ଟ୍ରିଟମେଣ୍ଟ ମିଳିନାହିଁ । ଗିରଫ ପରେ ପୋଲିସ ଷ୍ଟେସନରେ ତାଙ୍କୁ ଜଣେ ସାଦାରଣ କଏଦୀ ଭଳି ଟ୍ରିଟମେଣ୍ଟ ମିଳିଥିବା ଜାଣିବାକୁ ମିଳିଛି । ଜେଲରେ ସେ କିଛି ଖାଇ ନଥିବା ବେଳେ ତଳେ ଶୋଇଥିବା ମଧ୍ୟ କୁହାଯାଉଛି ।
ସୂଚନା ମିଳିଛି ଯେ, କାଲି ଗିରଫ ହେବା ପରେ ଅଲ୍ଲୁ ଅର୍ଜୁନଙ୍କ କଏଦୀ ନମ୍ବର ୭୯୯୭ ରହିଥିଲା । ଜେଲ ଭିତରେ ସାରା ରାତି ତଳେ ଶୋଇଥିବା ବେଳେ ରାତିରେ ଖାଲି ପେଟରେ ରହିଥିଲେ ଅଲ୍ଲୁ ଅର୍ଜୁନ । ତେବେ ଆଜି ସକାଳୁ ସେ ଜେଲରୁ ମୁକୁଳିବା ପରେ ଘରକୁ ଫେରିଛନ୍ତି । ତେବେ ଘରକୁ ଫେରିବା ପରେ ଅଲ୍ଲୁ ଅର୍ଜୁନ ଆଇନ ଏବଂ କାନୁନକୁ ଧନ୍ୟବାଦ ଜଣାଇବା ସହ ଆଇନକୁ ସମ୍ମାନ କରୁଥିବା ପ୍ରକାଶ କରିଛନ୍ତି । କିନ୍ତୁ ଘରେ ପହଞ୍ଚିବା ପରେ ପ୍ରଥମେ ତାଙ୍କ ସ୍ତ୍ରୀକୁ ଧରି କାନ୍ଦି ପକାଇଛନ୍ତି ଅଲ୍ଲୁ ଅର୍ଜୁନ । ଜେଲରୁ ଫେରିବା ପରେ ସ୍ତ୍ରୀଙ୍କୁ ଦେଖି ସେ ଭାବବିହ୍ୱଳ ହୋଇ ପଡ଼ିଥିଲେ । ଏହାପରେ ସମସ୍ତଙ୍କୁ କ୍ଷମା ମାଗିବା ସହ ମୃତ ମହିଳାଙ୍କ ପରିବାରକୁ ମଧ୍ୟ ସାନ୍ତ୍ୱନା ଦେଇଛନ୍ତି ଅଲ୍ଲୁ ଅର୍ଜୁନ ।