ଭୁବନେଶ୍ୱର: ଓଡ଼ିଶାରେ ଶୀତର ପ୍ରଭାବ ଧୀରେ ଧୀରେ ବଢିବାରେ ଲାଗିଛି । ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ହ୍ରାସ ପାଇବା ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ରାଜ୍ୟର ୮ଟି ସହର ୧୦ ଡିଗ୍ରୀ ତଳକୁ ଖସିଆସିଛି । ଏହିସବୁ ସହରରେ ବର୍ତ୍ତମାନ ଥଣ୍ଡାର ପରିମାଣ ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ସମୟରେ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବରେ ଝାରସୁଗୁଡ଼ାରେ ତାପମାତ୍ରା ୬.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାଉରକେଲା ୬.୮ ଡିଗ୍ରୀ ରହିଛି । ସେହପରି ଫୁଲବାଣୀରେ ତାପମାତ୍ରା ୮.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ ଏବଂ ଅନୁଗୁଳରେ ୯.୦ ଡିଗ୍ରୀ ରହିଛି । କେନ୍ଦୁଝରରେ ଏହି ତାପମାତ୍ରା ୯.୨ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ ଏବଂ ଭବାନୀପାଟଣାରେ ୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ସିଲିଭର ସିଟି କଟକର ତାପମାତ୍ରା ୧୧.୫ ଡିଗ୍ରୀ ରହିଛି ଏବଂ ଭୁବନେଶ୍ୱରରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଛି ।
ସୂଚନା ଅନୁସାରେ, ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ଶୀତ । ତେବେ ଡିସେମ୍ବର ମାସ ସବୁଠାରୁ ଥଣ୍ଡା ମାସ ବୋଲି ପ୍ରମାଣିତ ହେବାକୁ ଯାଇଛି । ସାରା ଦେଶରେ ଭୀଷଣ ଥଣ୍ଡା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେପ୍ଟେମ୍ବର ମାସରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଥିଲା । ପ୍ରଶାନ୍ତ ମହାସାଗରରେ ଲ ନିନା ସାରା ଦେଶରେ ତାପମାତ୍ରା ଅଧିକ ହ୍ରାସ ପାଇବ । ଶୀତଳା ପବନ ବହିବା ସହିତ କେତେକ ସ୍ଥାନରେ ବରଫ ମଧ୍ୟ ପଡିବାର ସମ୍ଭାବନା ରହିଛି । ଭାରତରେ ଲ ନିନା ଇଫେକ୍ଟ କିଛି ନୂଆ କଥା ନୁହେଁ, ଏହା ପୂର୍ବରୁ ୨୦୦୧ ମସିହାରେ ଲ ନିନା ଇଫେକ୍ଟର ପ୍ରଭାବ ଅନୁଭୂତ ହୋଇଥିଲା । ତେବେ ଚଳିତ ବର୍ଷ ଏହାର ପ୍ରଭାବ ଭାରତରେ ୩ ମାସ ରହିବ । ଡିସେମ୍ବର, ଜାନୁଆରୀ ଏବଂ ଫେବୃଆରୀ ମାସରେ ରେକର୍ଡ ଭାଙ୍ଗିବ ଶୀତ ।