ଶ୍ରେୟସଙ୍କ ହାତରେ SMAT-2024: ମଧ୍ୟପ୍ରଦେଶକୁ ହରାଇ ଟାଇଟଲ ଜିତିଲା ମୁମ୍ବାଇ, ରାହାଣେଙ୍କ ବିସ୍ଫୋରକ ବ୍ୟାଟିଂ

ନୂଆଦିଲ୍ଲୀ: ସୟଦ ମୁସ୍ତାକ ଅଲୀ ଟ୍ରଫି ଟାଇଟଲ ଉପରେ କବଜା କରିଛି ମୁମ୍ବାଇ କ୍ରିକେଟ ଆସୋସିଏସନ୍ । ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ମୁକୁଟ ପିନ୍ଧିଛି ମୁମ୍ବାଇ । ମଧ୍ୟପ୍ରଦେଶକୁ ୫ ୱିକେଟରେ ଚକମା ଦେଇ ଶ୍ରେୟସ ଏହି ଫାଇନାଲରେ ବାଜିମାତ୍ କରିଛନ୍ତି । ଅଜିଙ୍କ୍ୟା ରାହାଣେ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଟ୍ରଫି ନିଜର କରିଛି । ଏହାଭିତରେ ବେକାର ହୋଇଛି ମଧ୍ୟପ୍ରଦେଶ ଅଧିନାୟକ ରଜତ ପାଟିଦାରଙ୍କ ଧୂଆଁଦାର ଅର୍ଦ୍ଦଶତକ । ମଧ୍ୟପ୍ରଦେଶର ୧୭୪ ରନ୍ ଲକ୍ଷ୍ୟକୁ ୫ ୱିକେଟ ହରାଇ ହାସଲ କରିବାରେ ମୁମ୍ବାଇ ସଫଳ ହୋଇଛି । ଏହାସହିତ ୨୦୨୪-୨୫ ସିଜନ ପାଇଁ ସୟଦ ମୁସ୍ତାକ ଅଲୀ ଟ୍ରଫି ଚମ୍ପିଆନ୍ ମୁକୁଟ ପିନ୍ଧିଛି ମୁମ୍ବାଇ କ୍ରିକେଟ ଆସୋସିଏସନ୍ ।

ମଧ୍ୟପ୍ରଦେଶର ୧୭୪ ରନ୍ ପିଛା କରି ମୁମ୍ବାଇର ପାଳି ଆରମ୍ଭ କରିଥିଲେ ପୃଥ୍ୱୀ ଶ’ ଏବଂ ଅଜିଙ୍କ୍ୟା ରାହାଣେ । ଦ୍ୱିତୀୟ ଓଭରରେ ପୃଥ୍ୱୀ ଶା’ ମାତ୍ର ୧୦ ରନ୍ କରି ପାଭିଲିୟନ ପେରି ଯାଇଥିଲେ । ଏହାପପରେ ଅଧିନାୟକ ଶ୍ରେୟସ ୯ ବଲରୁ ୧୬ ରନ୍ କରି ଆଉଟ ହେବା ପରେ ଦଳ ସଂକଟରେ ପଡ଼ିଥିଲା । ଏହାପରେ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଏବଂ ଭେଟେରାନ କ୍ରିକେଟର ଅଜିଙ୍କ୍ୟା ରାହାଣେ ପାଳି ସମ୍ଭାଳିଥିଲେ । ସିରିଜରେ ବିସ୍ଫୋରକ ବ୍ୟାଟିଂ କରିଥିବା ରାହାଣେ ଏହି ମ୍ୟାଚରେ ପୁରୁରା ଅବତାରରେ ନଜର ଆସିଛନ୍ତି । ୩୦ ବଲରୁ ୪ଟି ଚୌକା ସହ ୩୬ ରନ୍ କରିଥିବା ବେଳେ ସେ ଆଉଟ ହୋଇଥିଲେ ।

ସେପଟେ ସୂର୍ଯ୍ୟକୁମାର ୩୫ ବଲରୁ ୪ଟି ଚୌକା ଏବଂ ୩ଟି ଛକା ସହ ୪୮ ରନର ଏକ ଦମଦାର ଇନିଂସ ଖେଳି ଦଳକୁ ବିଜୟର ନିକଟରେ ପହଞ୍ଚାଇଥିଲେ । ତେବେ ଏହାପରେ ଅଥର୍ବ ଅଙ୍କୋଲେକର ଏବଂ ସୂର୍ୟାଂଶ ଶେଗଡ଼େ ମୁମ୍ବାଇକୁ ମ୍ୟାଚରେ ବିଜୟୀ କରାଇଛନ୍ତି । ଶେଷରେ ସୂର୍ୟାଂଶ ୧୫ ବଲରୁ ୩ଟି ଚୌକା ଏବଂ ୩ଟି ଛକା ସହିତ ୩୬ ରନର ଏକ ବିସ୍ଫୋରକ ପାଳି ଖେଳିଛନ୍ତି । ମଧ୍ୟପ୍ରଦେଶର ତ୍ରିରୂପେଶ ସିଂ ୨ଟି ସଫଳତା ହାସଲ କରିଥିବା ବେଳେ ଭେଙ୍କଟେଶ ଆୟର, ଶିବମ ଶୁକ୍ଳା ଏବଂ କୁମାର କାର୍ତ୍ତିକେୟ ଗୋଟିଏ ଲେଖାଏଁ ୱିକେଟ ନେନଇଛନ୍ତି ।

ଫାଇନାଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ମଧ୍ୟପ୍ରଦେଶ ଅଧିନାୟକ ରଜତ ପାଟିଦାର । ଅଧିନାୟକ ରଜତ ପାଟିଦାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ମଧ୍ୟପ୍ରଦେଶ ୨୦ ଓଭରରେ ୧୭୪ ରନର ଲକ୍ଷ ଦେଇଥିଲା । ମାତ୍ର ୪୦ ବଲରୁ ୬ଟି ଚୌକା ଏବଂ ୬ଟି ଛକା ସହ ୮୧ ରନର ଇନିଂସ ଖେଳି ଦଳକୁ ଏବ ବଡ଼ ସ୍କେରରେ ପହଞ୍ଚାଇଛନ୍ତି ଅଧିନାୟକ ରଜତ । ଏହାବ୍ୟତୀତ ଶୁଭ୍ରାଂଶୁ ସେନାପତି ୧୭ ବଲରୁ ୨୩ ରନ୍ କରି ଆଉଟ ହୋଇଥିବା ବେଳେ ରାହୁଲ ବାଥମ ୧୯ ଏବଂ ଭେଙ୍କଟେଶ ଆୟର ୧୭ ରନ୍ କରି ପାଭିଲିୟନ୍ ଫେରିଛନ୍ତି । ମଧ୍ୟପ୍ରଦେଶ ଏହି ଇନିଂସରେ ୮ଟି ୱିକେଟ ହରାଇଥିବା ବେଳେ ୫ ଜଣ କ୍ରିକେଟର ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଛନ୍ତି । ଏହି ଇନିଂସରେ ଶାର୍ଦ୍ଦୁ ଠାକୁର ଏବଂ ରୟଷ୍ଟନ ଡାଏସ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଏହାବ୍ୟତୀତ ଶିବମ ଦୁବେ, ସୂର୍ୟାଂଶ ଶେଗଡ଼େ ଏବଂ ଅଥର୍ବ ଅଙ୍କୋଲେକର ଗୋଟିଏ ଲେଖାଏଁ ସଫଳତା ହାସଲ କରିଛନ୍ତି ।