ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨୪ ଘଣ୍ଟା ପାଇଁ ଶୀତ ପ୍ରକୋପ ଉପରେ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ । ଝାରସୁଗୁଡ଼ା, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡ଼କୁ ଦିଆଯାଉଛି ୟେଲୋ ୱାର୍ଣ୍ଣିଂ । ସେହିପରି ୨ ଦିନ ଘନ କୁହୁଡ଼ି ନେଇ କୋରାପୁଟ ଓ କନ୍ଧମାଳ ଜିଲ୍ଲାକୁ କରାଯାଇଛି ଆଲର୍ଟ । କାଲି ପରଠାରୁ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ବର୍ତ୍ତମାନ ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି ୧୫ ସହରର ତାପମାତ୍ରା ।
ରାତି ତାପମାତ୍ରା ଅନୁସାରେ ଓଡ଼ିଶାର ସବୁଠୁ ଥଣ୍ଡା ସହର ଜି.ଉଦୟଗିରିର ତାପମାତ୍ରା ୫.୨, ସେମିଳିଗୁଡ଼ା ଓ ଫୁଲବାଣୀ ୯, ରାଉରକେଲା ୭.୨, କିରେଇ ୮.୮, ଦାରିଙ୍ଗବାଡ଼ି ୧୦.୫, ବୌଦ୍ଧ ୧୦.୨, ଚିପିଲିମା ୧୦.୨, ଝାରସୁଗୁଡ଼ା ୮, ସୁନ୍ଦରଗଡ଼ର ତାପମାତ୍ରା ୧୦ ଡିଗ୍ରୀ ରହିଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ଭୁବନେଶ୍ବରର ତାପମାତ୍ରା ୧୪ ଡିଗ୍ରୀ ଥିବାବେଳେ କଟକର ତାପମାତ୍ରା ୧୨ଡିଗ୍ରୀ ରହିଛି । ଏଥିସହ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ଶୀତ ଲହରୀର ସତର୍କତା ଜାରି କରାଯାଇଛି । ସୂଚନା ଅନୁସାରେ, ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ଶୀତ ।
ତେବେ ଡିସେମ୍ବର ମାସ ସବୁଠାରୁ ଥଣ୍ଡା ମାସ ବୋଲି ପ୍ରମାଣିତ ହେବାକୁ ଯାଇଛି । ସାରା ଦେଶରେ ଭୀଷଣ ଥଣ୍ଡା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେପ୍ଟେମ୍ବର ମାସରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଥିଲା । ପ୍ରଶାନ୍ତ ମହାସାଗରରେ ଲ ନିନା ସାରା ଦେଶରେ ତାପମାତ୍ରା ଅଧିକ ହ୍ରାସ ପାଇବ । ଶୀତଳ ପବନ ବହିବା ସହିତ କେତେକ ସ୍ଥାନରେ ବରଫ ମଧ୍ୟ ପଡିବାର ସମ୍ଭାବନା ରହିଛି ।