ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇପାରେ ଏକକ ନିର୍ବାଚନ ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ମେଘୱାଲ ଦୁଇଟି ବିଲ୍ ଆଗତ କରିବେ । ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ(ସଂଶୋଧନ) ବିଲ୍ । ତେଣୁ ଗୃହରେ ଉପସ୍ଥିତ ରହିବାକୁ ସମସ୍ତ ସାଂସଦଙ୍କୁ ବିଜେପିର ହ୍ୱିପ୍ । କହିରଖୁଛୁ କିଛି ଦିନ ତଳେ ଏକକ ନିର୍ବାଚନ ବିଲକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିଲା ।
ନିକଟରେ ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନର ବିଚାର ଓ ଅନୁସନ୍ଧାନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିସକୁ ଗ୍ରହଣ କରି ସମଗ୍ର ଦେଶରେ ଏକକାଳୀନ ନିର୍ବାଚନ ପାଇଁ ବାଟ ଖୋଲିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ରାଜନୈତିକ ଦଳ ଓ ବିଶେଷଜ୍ଞଙ୍କ ସମେତ ଅଂଶୀଦାରମାନଙ୍କ ସହ ବ୍ୟାପକ ଆଲୋଚନା କରିଥିଲେ। ଏହାକୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ। ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବାକୁ ଥିବା ବେଳେ ସାଧାରଣ ନିର୍ବାଚନର ୧୦୦ ଦିନ ମଧ୍ୟରେ ପଞ୍ଚାୟତ ଓ ପୌରପାଳିକା ଭଳି ସ୍ଥାନୀୟ ସଂସ୍ଥା ନିର୍ବାଚନ ଅନୁଷ୍ଠିତ ହେବ।
ସମ୍ପ୍ରତି ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ବିଲ୍ ପାରିତ ହେଲେ ଗୋଟିଏ ସମୟରେ ନିର୍ବାଚନ ହେବ । ତେବେ କେନ୍ଦ୍ର ସରକାରଙ୍କ ଏ ନିଷ୍ପତିକୁ ବିରୋଧୀ ଦଳଭାବେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟୀ ବିରୋଧ କରି ଆସୁଛନ୍ତି । ଏହା ଦ୍ୱାରା କେନ୍ଦ୍ରରେ ଥିବା ସରକାରୀ ଦଳକୁ ଫାଇଦା ହେବ । କିନ୍ତୁ ଏନଡିଏ ସମର୍ଥିତ ଦଳଗୁଡ଼ିକ ‘ୱାନ ନେସନ୍-ୱାନ୍ ଇଲେକ୍ସନ୍’ ପୂର୍ଣ୍ଣ ସହମତ ଦେଉଛନ୍ତି ।