ଭୁବନେଶ୍ବର: ଏମ୍ସରେ ଝୁଲିପଡିଲେ ବୃଦ୍ଧ । ସନ୍ଦେହଜନକ ଭାବେ ବୃଦ୍ଧଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଅର୍ଥୋପେଡିକ୍ ଓ୍ବାର୍ଡରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଫ୍ୟାନରେ ଗାମୁଛା ଲଗାଇ ବୃଦ୍ଧଜଣକ ଆତ୍ମହତ୍ୟା କରିଛନ୍ତି । ମୃତ ବୃଦ୍ଧଙ୍କର ବୟସ 70 ବର୍ଷ ହୋଇଥିବା ବେଳେ ଯାଜପୁର ଜିଲ୍ଲାର ଅଟଳପୁର ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡିଛି । କହିରଖୁଛୁ କି, ଶାରୀରିକ ସମସ୍ୟା ଯୋଗୁଁ ସେ ଡିସେମ୍ବର 5 ତାରିଖରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇ ତାହାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତେବେ ଏହି ଅର୍ଥୋପେଡିକ ଓ୍ବାର୍ଡରେ 50ରୁ ଅଧିକ ଲୋକ ରହିଥିଲେ । ମୃତକଙ୍କ ନାମ ଦିଲ୍ଲୀପ ସାହୁ ।
ବୃଦ୍ଧଜଣକ ଗତକାଲି ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଓ୍ବାର୍ଡରେ ନର୍ସ ଏବଂ ଡାକ୍ତର ରହିବା ସତ୍ତ୍ବେ ମଧ୍ୟ କିପରି ସେ ପ୍ରାଣ ହରାଇଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ବର୍ତ୍ତମାନ ନର୍ସଙ୍କ ଡ୍ୟୁଟି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖବର ପାଇ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।