ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ କୁ ନେଇ ଆଇସିସି ଦେଲା ଗୁରୁତ୍ୱପୂର୍ଣ୍ଣ ସୂଚନା। ହାଇବ୍ରିଡ୍ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ବୋଲି କୁହିଲା ICC। ଟିମ୍ ଇଣ୍ଡିଆ ତା’ର ସମସ୍ତ ମ୍ୟାଚ୍ ନିରପେକ୍ଷ ଭେନ୍ୟୁରେ ଖେଳିବ। ତେବେ ଆଇସିସି ଏପର୍ଯ୍ୟନ୍ତ ଚାମ୍ପିୟନ୍ସ ଟ୍ରଫି ପାଇଁ କାର୍ଯ୍ୟସୂଚୀ ଘୋଷଣା କରିନାହିଁ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ମନା କରିଦେଇଥିଲା। ତେଣୁ ବିସିସିଆଇର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଆଇସିସି ହାଇବ୍ରିଡ୍ ମଡେଲକୁ ଅନୁମୋଦନ କରିଛି। ଏଥିସହ ଆଇସିସି ମଧ୍ୟ ପାକିସ୍ତାନକୁ ଏକ ଖୁସି ଖବର ଦେଇଛି।
ଆଇସିସି ନିଜ ୱେବସାଇଟରେ ଚାମ୍ପିୟନ୍ସ ଟ୍ରଫି ବିଷୟରେ ସୂଚନା ଦେଇଛି। ୨୦୨୪ରୁ ୨୦୨୭ ମଧ୍ୟରେ ହାଇବ୍ରିଡ୍ ମଡେଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ ବୋଲି ଉଲ୍ଲେଖ କରାଯାଇଛି। ଉଭୟ ଦଳ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍ ଖେଳିବେ। ଆଗାମୀ ଆଇସିସି ଟୁର୍ଣ୍ଣାମେଣ୍ଟରେ ଏହି ନିୟମ ଲାଗୁ ହେବ। ଆସନ୍ତା ଫେବ୍ରୁଆରି ଓ ମାର୍ଚ୍ଚରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ର କାର୍ଯ୍ୟସୂଚୀ ଆଇସିସି ଖୁବଶୀଘ୍ର ବାଣ୍ଟିବ। ଆଇସିସି ରିପୋର୍ଟ କରିଛି ଯେ ଚାମ୍ପିଅନ୍ସ ଟ୍ରଫି ସହିତ ଆହୁରି ଟୁର୍ଣ୍ଣାମେଣ୍ଟ ଅଛି ଯାହା ହାଇବ୍ରିଡ୍ ମଡେଲ ଅନୁସରଣ କରିବ। ଭାରତରେ ହେବାକୁ ଥିବା ଏହି ମଡେଲରେ ମହିଳା ବିଶ୍ୱକପ୍ ୨୦୨୫ ମଧ୍ୟ ଅନୁଷ୍ଠିତ ହେବ।
ତେଣୁ ପାକିସ୍ତାନ କ୍ରିକେଟ୍ ଦଳ ଭାରତରେ ଖେଳିବାକୁ ଆସିବ ନାହିଁ। ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟ ହାଇବ୍ରିଡ୍ ମଡେଲକୁ ଅନୁସରଣ କରିବ। ଆଇସିସି ପାକିସ୍ତାନ କ୍ରିକେଟ ବୋର୍ଡକୁ ଖୁସି ଖବର ଦେଇଛି। ୨୦୨୮ ମହିଳା ଟି-୨୦ ବିଶ୍ୱକପ୍ ପାକିସ୍ତାନରେ ଆୟୋଜନ କରାଯିବ ବୋଲି ସ୍ଥିର ହୋଇଛି। ତେବେ ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟ ହାଇବ୍ରିଡ୍ ମଡେଲରେ ହେବ। ଟିମ୍ ଇଣ୍ଡିଆ ପାକିସ୍ତାନରେ ତା’ର ମ୍ୟାଚ୍ ଖେଳିବ ନାହିଁ। ଆୟୋଜନ ଅଧିକାର ପାକିସ୍ତାନକୁ ଦିଆଯାଇଛି।