ପ୍ରତାପ ଷଡଙ୍ଗୀଙ୍କ ପରେ ଖଡଗେଙ୍କ ଅଭିଯୋଗ, କହିଲେ ବିଜେପି ସାଂସଦ ଠେଲିଦେବାରୁ ଆଣ୍ଠୁରେ ଆଘାତ ଲାଗିଛି

ନୂଆଦିଲ୍ଲୀ: ଆମ୍ବେଦକର ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଠେଲାପେଲା ହୋଇଥିଲା । ଫଳରେ ବିଜେପିର ଦୁଇଜଣ ସାଂସଦ ପ୍ରତାପ ଷଡଙ୍ଗୀ ଏବଂ ମୁକେଶ ଚୌହାନ ଆହାତ ହୋଇଥିଲେ । ଏହାପରେ ଦୁହିଁଙ୍କୁ ସଙ୍ଗେସଙ୍ଗେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛି ଦଳ । ସେ ହିଁ ଧକ୍କା ଦେଇଥିବାରୁ ବିଜେପି ସାଂସଦଙ୍କୁ ଆଘାତ ଲାଗିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ତାଙ୍କୁ ମଧ୍ୟ ଠେଲାପେଲା ହୋଇଥିବା ଅଭିଯୋଗ ଆଣି ସେ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ବିଜେପି ସାଂସଦ ଠେଲିଦେବାକୁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ଦଳ ପକ୍ଷରୁ କୁହାଯାଇଛି ।

ଖଡଗେ ଓମ ବିର୍ଲାଙ୍କୁ ଲେଖିଥିବା ଚିଠିରେ କୁହାଯାଇଛି ଯେ, ଆମ୍ବେଦକରଙ୍କ ବିରୋଧରେ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଶୋଭାଯାତ୍ରା ମଧ୍ୟ ହୋଇଥିଲା ।ଏହାକୁ ନେଇ ଅମିତଶାହଙ୍କ ଇସ୍ତଫା ଦାବି କରାଯାଇ ବିରୋଧୀ ସାଂସଦମାନେ ଡକ୍ଟର ଆମ୍ବେଦକରଙ୍କ ପ୍ରତିମା ନିକଟରୁ ମକର ଦ୍ୱାର ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ଏହି ସମୟରେ ଠେଲାପେଲା ହୋଇଥିଲା । ବିଜେପି ସାଂସଦ ଆମକୁ ସଂସଦରେ ପ୍ରବେଶ କରିବାକୁ ଦେଇ ନ ଥିଲେ। ଉକ୍ତ ସମୟରେ ବିଜେପି ସାଂସଦ ମୋତେ ଧକ୍କା ମାରିଥିବା ବେଳେ ମୋ’ ଆଣ୍ଠୁରେ ଆଘାତ ଲାଗିଛି ବୋଲି ଖଡଗେ ପତ୍ରରେ ଲେଖିଛନ୍ତି ।