ସାଂସଦଙ୍କ ବିଜୁଳି ଚୋରି: ୧. ୯୧ କୋଟି ଜରିମାନା, ଅନ୍ଧାରରେ ବାସଭବନ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସାଂସଦ ଜିଆଉର ରେହମାନଙ୍କ ଅସୁବିଧା କେବେ ଶେଷ ହେଉନଥିବା ଜଣାପଡିଛି । ଗୁରୁବାର ବିଦ୍ୟୁତ୍ ଚୋରି ଘଟଣା ଯୋଗୁଁ ତାଙ୍କ ଘରର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିଦ୍ୟୁତ୍ ବିଭାଗ ତାଙ୍କ ଉପରେ ୧ କୋଟି ୯୧ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଖୁବ୍ ଶୀଘ୍ର ବିଭାଗ ପକ୍ଷରୁ ତାଙ୍କୁ ଆଦାୟ ନୋଟିସ୍ ମିଳିବା ସହ ତାଙ୍କଠାରୁ ଟଙ୍କା ଆଦାୟ କରାଯିବ। ଏସ.ପି ସାଂସଦଙ୍କ ଘରର ଲାଇଟ୍ ବନ୍ଦ ରହିଛି ଏବଂ ଜରିମାନା ରାଶି ଜମା ନକରିବା ପର୍ଯ୍ୟନ୍ତ ତାଙ୍କ ବିଦ୍ୟୁତ୍ ସଂଯୋଗ କରାଯିବ ନାହିଁ।

ଗୁରୁବାର ବିଦ୍ୟୁତ ବିଭାଗର ଏକ ଟିମ୍ ତାଙ୍କ ଘରକୁ ଯାଇ ବିଦ୍ୟୁତ୍ ବ୍ୟବହାର ଓ ଲୋଡ୍ ଯାଞ୍ଚ କରିଥିଲେ। ଏହି ସମୟରେ ସାଂସଦଙ୍କ ବାସଭବନରେ ଥିବା ବୈଦ୍ୟୁତିକ ଉପକରଣଯାଞ୍ଚ ବେଳେ ୧୬ କିଲୋୱାଟ୍ ରୁ ଅଧିକ ବ୍ୟବହାର ହୋଇଥିବା ଜଣାପଡ଼ିଥିଲା। ଏହାରି ମଧ୍ୟରେ ଗତ ୬ ମାସ ଧରି ଏହି ମିଟରରେ ଶୂନ ରିଡିଂ ଦେଖିବାକୁ ମିଳିଥିଲା। ଘରେ ଲାଗିଥିବା ଦୁଇଟି ମିଟରରେ ମଧ୍ୟ ତ୍ରୁଟି ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ଏହାପରେ ସାଂସଦଙ୍କ ବିରୋଧରେ ବିଦ୍ୟୁତ ଚୋରି ମାମଲା ମଧ୍ୟ ରୁଜୁ ହୋଇଛି।

ସାଂସଦଙ୍କ ଘରେ ଥିବା ବିଦ୍ୟୁତ ଉପକରଣ ସମ୍ପର୍କରେ ଡିଭିଜନ କାର୍ଯ୍ୟାଳୟରେ ୧ କୋଟି ୯୧ ଲକ୍ଷ ଟଙ୍କାର ଆକଳନ କରାଯାଇଛି। ଏହାପରେ ସେମାନଙ୍କୁ ଆଦାୟ ନୋଟିସ ଜାରି କରାଯିବ। ଜରିମାନା ରାଶି ପୈଠ ନ ହେବା ପର୍ଯ୍ୟନ୍ତ ସାଂସଦଙ୍କ ବାସଭବନକୁ ବିଦ୍ୟୁତ୍ ସଂଯୋଗ ହେବ ନାହିଁ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏସ.ପି ସାଂସଦଙ୍କ ବାପା ମଧ୍ୟ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ତାଙ୍କ ସରକାର ଆସିବା ପରେ ଅଧିକାରୀଙ୍କ ସହ ମୁକାବିଲା କରାଯିବ ବୋଲି ସେ ଧମକ ଦେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହୋଇଛି।