ବିସ୍ଫୋରକ ଶତକ… IPL-2025 ପୂର୍ବରୁ ଗର୍ଜୁଛି ଶ୍ରେୟସଙ୍କ ବ୍ୟାଟ୍: ଅହମଦାବାଦରେ ଛକା ବୃଷ୍ଟି

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ବିଜୟ ହଜାରେ ଟ୍ରଫି-୨୦୨୪ । ପ୍ରଥମ ଦିନରେ ମୁମ୍ବାଇ-କର୍ଣ୍ଣାଟକ ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମିଳିଛି । ଏହି ମୁକାବିଲାରେ ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି ଦଳର ଅଧିନାୟକ ତଥା ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ଶ୍ରେୟସ ଆୟର । ଆଇପିଏଲ-୨୦୨୫ ପୂର୍ବରୁ ଶ୍ରେୟସଙ୍କ ଏହି ବିଧ୍ୱଂସକ ପାଳି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ହିଁ ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟରେ ଏହି ଶତକ ହାସଲ କରିଛନ୍ତି ଶ୍ରେୟସ ଆୟର । ଏହି ଇନିଂସରେ ସେ ୧୦ଟି ବିଶାଳ ଛକା ମାରି ନିଜ ଶତକରେ ପହଞ୍ଚିଛନ୍ତି ।

କର୍ଣ୍ଣାଟକ ବିପକ୍ଷ ଏହି ମ୍ୟାଚରେ ଅଧିନାୟକ ଶ୍ରେୟସ ଆୟର ମାତ୍ର ୫୧ ବଲରୁ ଶତକ ହାସଲ କରିଛନ୍ତି । କର୍ଣ୍ଣାଟକ ବୋଲରଙ୍କୁ ୫ଟି ଚୌକା ଏବଂ ୧୦ଟି ଛକା ସହ ୧୧୪ ରନର ଧୂଆଁଧାର ପାଳି ଖେଳିଛନ୍ତି ମୁମ୍ବାଇର ଅଧିନାୟକ । ଏହି ଇନିଂସରେ ୫୫ ବଲରୁ ୧୧୪ ରନ୍ କରି କର୍ଣ୍ଣାଟକକୁ ବିଶାଳ ଲକ୍ଷ୍ୟ ଦେଇଥିଲା ମୁମ୍ବାଇ । ଶ୍ରେୟସଙ୍କ ଶତକ ବ୍ୟତୀତ ଷ୍ଟାର ଓପନର ଆୟୁଷ ମହାତ୍ରେଙ୍କ (୭୮) ଏବଂ ହାର୍ଦ୍ଦିକ ସାମୋର(୮୪) ଅର୍ଦ୍ଧଶତକ ଦଳକୁ ଏକ ବିଶାଳକାୟ ସ୍କୋରରେ ପହଞ୍ଚାଇଥିଲା । ଏହାବ୍ୟତୀତ ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ମଧ୍ୟ ନିଜ ପୁରୁଣା ଲୟକୁ ଫେରିଛନ୍ତି । ୩୬ଟି ବଲରୁ ୫ଟି ଚୌକା ଏବଂ ୫ଟି ଛକା ସହ ୬୩ ରନ୍ କରିଛନ୍ତି ଶିବମ୍ । କିଛି ଦିନରୁ ସେ ବଡ଼ ଶଟ୍ ଖେଳିବାକୁ ସଂଘର୍ଷ ଜାରି ରଖିଥିବା ବେଳେ ପୁଣିଥରେ ଫର୍ମ ଫେରି ପାଇଛନ୍ତି ଶିବମ ଦୁବେ । କର୍ଣ୍ଣାଟକ ବିରୋଧରେ ଶ୍ରେୟସ ସେନା ୫୦ ଓଭରରୁ ୪ ୱିକେଟ ହରାଇ ୩୮୨ ରନ୍ କରିଥିଲା ।

ତେବେ ମୁମ୍ବାଇର ଏହି ବିଶାଳ ସ୍କୋରକୁ ପଛରେ ପକାଇ କର୍ଣ୍ଣାଟକ ବିଜୟୀ ହୋଇଛି । ଦଳର ଷ୍ଟାର ୱିକେଟ କିପର କ୍ରିଷ୍ଣନ୍ ଶ୍ରୀଜିତ ୧୫୦ ରନର ଏକ ମ୍ୟାଚ୍ ୱନିଙ୍ଗ ପାଳି ଖେଳି ଦଳକୁ ବାଜିମାତ୍ କରିଛନ୍ତି । କ୍ରିଷ୍ଣନଙ୍କ ଶତକ ଆଗରେ ପିକା ପଡ଼ଇଛି ଶ୍ରେୟସଙ୍କ ଶତକ । ଏହାବ୍ୟତୀତ ପ୍ରବୀଣ ଦୁବେ(୬୫) ଏବଂ ଅନୀଶ କେଭି(୮୨)ଙ୍କ ଅର୍ଦ୍ଧଶତକ କର୍ଣ୍ଣାକଟକୁ ବିରାଟ ବିଜୟ ଭେଟି ଦେଇଛି । ଅଧିନାୟକ ମୟଙ୍କ ଅଗ୍ରୱାଲ ମଧ୍ୟ ଏହି ଇନିଂସରେ ୪୭ ରନର ଏକ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଛନ୍ତି । ତେବେ ମୁମ୍ବାଇ ଦେଇଥିବା ଲକ୍ଷ୍ୟକୁ ୪ ଓଭର ବାକି ଥାଇ ହାସଲ କରିନେଇଛି କର୍ଣ୍ଣାଟକ ।