ଭୁବନେଶ୍ୱର: ୩ ଦିନର ଲଗାଣ ବର୍ଷା ପରେ ଆଜି ଓଡ଼ିଶାବାସୀଙ୍କୁ ମିଳିଛି ଅଶ୍ୱସ୍ତି । ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡାର ପରିମାଣ ମଧ୍ୟ ବୃଦ୍ଧି ପାଇଛି । ଏହାଭିତରେ ପାଣିପାଗ ବିଭାଗ ପୁଣିଏକ ବର୍ଷା ନେଇ ପୂବାନୁମାନ କରି ସାରିଲାଣି । ଆସନ୍ତା ୨୪ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ଡିସେମ୍ବର ୨୪ ଏବଂ ୨୫ ତାରିଖରେ ବର୍ଷା ହେବା ନେଇ ସୂଚନା ମିଳିଛି । ବର୍ଷା ସହ ରାଜ୍ୟର କିଛି ସ୍ଥାନରେ ଘନକୁହୁଡ଼ି ମଧ୍ୟ ଆସିବ ବୋଲି ପୂର୍ବ ସୂଚନା ମିଳିଛି । ଓଡ଼ିଶାର ବିଭିନ୍ନ ସ୍ଥାନ ଘନ କୁହୁଡ଼ିର ପ୍ରଭାବରେ ରହିପାରେ । ୨୪ ତାରିଖରେ କୁହୁଡ଼ି ଏବଂ ବର୍ଷା ଆସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।
ତେବେ ଏହି ଦୁଇ ଦିନ ୭ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ଗଞ୍ଜାମ, ଗଜପତି, ରାୟଗଡ଼ା ଆଦି ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିପାରେ । ସେହିପରି ୯ଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଏହି ତାଲିକାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ ସମେତ ନୟାଗଡ଼, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରିରେ ବର୍ଷା ପରିମାଣ ସାମାନ୍ୟ ଅଧିକ ରହିପାରେ । ସେହିପରି ୨୫ ତାରିଖରେ ୧୧ଟି ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । କାଲି ୫ଟି ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ଆଶଙ୍କା ରହିଥିବା ବେଳେ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଏହାପରେ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ।