Champions Trophy-2025: କେବେ ହେବ ଭାରତ-ପାକିସ୍ତାନ ଲଢେଇ? ରେ ଖେଳିବାକୁ ପିସିବି ରାଜି, ୮ଟି ଟିମ୍ ହେବେ ସାମିଲ

ନୂଆଦିଲ୍ଲୀ: ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ଚମ୍ପିଆନ୍ସ ଟ୍ରଫି ମହାସଂଗ୍ରାମ । ବହୁ ବାଦ ବିବାଦ ପରେ ଶେଷରେ ଟୁର୍ଣ୍ଣାମେଣ୍ଟକୁ ନେଇ ଏକ ସମାଧାନ ହୋଇଛି । ଭାରତ ଏବଂ ପାକିସ୍ତାନ ହାଇବ୍ରିଡ ମଡେଲରେ ଚମ୍ପିଆନ୍ସ ଟ୍ରଫି ଖେଳିବା ପାଇଁ ସହମତି ଦେଇଛନ୍ତି । ଏଥିପାଇଁ ତାଲିକା ଚୂଡ଼ାନ୍ତ ହୋଇସାରିଛି । ଖୁବଶୀଘ୍ର ଟୁର୍ଣ୍ଣାମେଣ୍ଟର ନୂଆ ସୂଚୀ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ତେବେ ଆଇସିସିର ଏହି ଇଭେଣ୍ଟରେ ଭାରତ-ପାକିସ୍ତାନ ମହାମୁକାବିଲା ଦୁବାଇରେ ଖେଳାଯିବ ବୋଲି ଜାଣିବାକୁ ମିଳିଛି ।

ଆଇସିସି ଚମ୍ପିଆନ୍ସ ଟ୍ରଫିକୁ ନେଇ ପିସିବି ମୁଖପାତ୍ର ଅମୀର ମୀର ଏକ ବଡ଼ ସୂଚନା ଦେଇଛନ୍ତି । ଚମ୍ପିଆନ୍ସ ଟ୍ରଫି ହାଇବ୍ରିଡ ମଡେଲରେ ଖେଳାଯିବା ନେଇ ଭାରତ ଏବଂ ପାକିସ୍ତାନ ସହମତି ପ୍ରକାଶ କରିଛନ୍ତି । ତେଣୁ ୟୁଏଇରେ ଭାରତର ସମସ୍ତ ମ୍ୟାଚ୍ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି । ପାକିସ୍ତାନ ଗସ୍ତ ପାଇଁ ଭାରତ ମନା କରିବା ପରେ ଚମ୍ପିଆନ୍ସ ଟ୍ରଫିକୁ ନେଇ ବହୁ ବାଦ ବିବାଦ ଦେଖିବାକୁ ମିଳିଥିଲା । ତେବେ ଆଇସିସିର ହସ୍ତକ୍ଷେପ ପରେ ଏକ ସମାଧାନର ବାଟ ବାହାରିଛି । ହାଇବ୍ରିଡ ମଡେଲରେ ଚମ୍ପିଆନ୍ସ ଟ୍ରଫି ଖେଳାଯିବ ବୋଲି ଧାର୍ଯ୍ୟ କରାଯାଇଛି । ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇ ଭୋଲ୍ଟେଜ ମ୍ୟାଚ୍ ଦୁବାଇରେ ଖେଳାଯିବ ବୋଲି ସ୍ପଷ୍ଟ ହୋଇଛି । ଏଥିପାଇଁ ନୂଆ ସୂଚୀ ଚୂଡ଼ାନ୍ତ ହୋଇ ସାରିଥିବା ବେଳେ ଖୁବଶୀଘ୍ର ପ୍ରକାଶ ପାଇପାରେ ।

ଆଇସିସିର ଏହି ଇଭେଣ୍ଟରେ ମୋଟ ୮ଟି ଟିମ୍ ସାମିଲ ହେଉଥିବା ବେଳେ ଏମାନଙ୍କୁ ମୋଟ ୨ଟି ଗ୍ରୁପରେ ଭାଗ କରାଯାଇଛି । ଫେବୃଆରୀ ୧୯ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ୧୯ ଦିନ ପର୍ଯ୍ୟନ୍ତ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ । ତେବେ ପ୍ରଥମ ମ୍ୟାଚରେ ଆୟୋଜନ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ଟକ୍କର ହୋଇପାରେ ଏବଂ ମାର୍ଚ୍ଚ ୯ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯାଇପାରେ । ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ରହିଥିବା ବେଳେ ଏହି ଦୁଇ ଦେଶ ମଧ୍ୟରେ ଏକାଧିକ ମ୍ୟାଚ୍ ଦେଖିବାକୁ ମିଳିପାରେ । ଗ୍ରୁପ ଷ୍ଟେଜରେ ଉଭୟ ଦଳ ମଧ୍ୟରେ ମହା ମୁକାବିଲା ଖେଳାଯିବ । ଏହାବ୍ୟତୀତ ନକ୍ ଆଉଟ୍ ଷ୍ଟେଜରେ ମଧ୍ୟ ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ ।

ଗ୍ରୁପ ଏ- ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ବାଂଲାଦେଶ

ଗ୍ରୁପ ବି- ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ