ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ପ୍ରସ୍ତୁତି ଜାରି ରଖିଛି ଟିମ ଇଣ୍ଡିଆ । ବର୍ତ୍ତମାନ ସୁଦ୍ଧା ଏହି ସିରିଜ ୧-୧ରେ ବରାବର ଥିବା ବେଳେ ଆଗାମୀ ୨ଟି ଯାକ ମ୍ୟାଚ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ତେଣୁ ଅଧିନାୟକ ରୋହିତ କିଛି ନୂଆ ରଣନୀତି ସହ ମେଲବର୍ଣ୍ଣ ମଇଦାନକୁ ଓହ୍ଲାଇପାରନ୍ତି । ତେବେ ଏହି ମ୍ୟାଚରେ ଦଳ ସହିତ ଉପଲବ୍ଧ ନାହାନ୍ତି ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱୀନ । ଏଭଳି ସ୍ଥିତିରେ ରୋହିତ ଚତୁର୍ଥ ଟେଷ୍ଟ ପାଇଁ ରବିନ୍ଦ୍ର ଜାଡେଜାଙ୍କୁ ପ୍ରମୁଖ ସ୍ପିନର ଭାବରେ ଦଳରେ ସାମିଲ କରିପାରନ୍ତି । ଅଶ୍ୱୀନଙ୍କ ଅନୁପସ୍ଥିତିରେ କେମିତି ରହିବ ପ୍ଲେଇଙ୍ଗ-୧୧?
ଅଷେଟ୍ରଲିଆ ବିପକ୍ଷ ଗାବା ଟେଷ୍ଟ ଡ୍ର’ ହେବା ପରେ ଇଣ୍ଟରନସନାଲ କ୍ରିକେଟରୁ ବିଦାୟ ନେଇଛନ୍ତି ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱୀନ । ତେବେ ଅଶ୍ୱୀନଙ୍କ ଅନୁପସ୍ଥିତିରେ ମେଲବର୍ଣ୍ଣ ଟେଷ୍ଟର ପ୍ଲେଇଙ୍ଗ-୧୧କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗାବା ଟେଷ୍ଟର ପ୍ଲେଇଙ୍ଗ-୧୧ରେ ଅଶ୍ୱୀନଙ୍କୁ ସାମିଲ କରାଯାଇ ନଥିଲା । ତେଣୁ ଆଗାମୀ ମ୍ୟାଚ୍ ପାଇଁ କୋଚ୍ ଗମ୍ଭୀର କିମ୍ବା ଅଧିନାୟକ ରୋହିତଙ୍କ ପାଇଁ ଏହା ଏକ ବଡ଼ ସମସ୍ୟା ହୋଇପାରିବ ନାହିଁ । ପ୍ରଥମ ୩ଟି ମ୍ୟାଚରେ ଟିମ ଇଣ୍ଡିଆ ୩ ଜଣ ସ୍ପିନରଙ୍କୁ ଦଳରେ ସୁଯୋଗ ଦେଇଥିଲା । ତେବେ ତୃତୀୟ ମ୍ୟାଚରେ ରବିନ୍ଦ୍ର ଜାଡେଜା ଅଲରାଉଣ୍ଡ ପ୍ରଦର୍ଶନ କରିଥିଲେ । ତେଣୁ ମେଲବର୍ଣ୍ଣରେ ଖେଳାଯିବାକୁ ଥିବା ବକ୍ସିଂ ଡେ’ ଟେଷ୍ଟରେ କୌଣସି ପରିବର୍ତ୍ତନ କରିବାର ସମ୍ଭାବନା ଖୁବ କମ୍ ରହିଛି ।
ଟିମ ଇଣ୍ଡିଆ ପାଇଁ ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱୀନ ଯୋଡ଼ି ଦୀର୍ଘ ଦିନ ପର୍ଯ୍ୟନ୍ତ କମାଲ ପ୍ରଦର୍ଶନ କରିଥିଲେ । ତେବେ ବର୍ତ୍ତମାନ ଅଶ୍ୱୀନ ଉପଲବ୍ଧ ନଥିବା ବେଳେ ଜାଡେଜା ପ୍ରମୁଖ ସ୍ପିନର ଭାବରେ ଦଳରେ ସାମିଲ ରହିଛନ୍ତି । ତାଙ୍କ ବ୍ୟତୀତ ୱାଶିଂଟନ୍ ସୁନ୍ଦର ଦ୍ୱିତୀୟ ବିକଳ୍ପ ଭାବରେ ଟିମ ଇଣ୍ଡିଆରେ ସାମିଲ ରହିଛନ୍ତି । ଉଭୟ ଖେଳାଳି ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରିପାରିବେ । ତେବେ ପିଚକୁ ଦୃଷ୍ଟିରେ ରଖି ଭାରତର ପ୍ଲେଇଙ୍ଗ-୧୧ ଚୟନ କରାଯିବ ।
ଭାରତର ସମ୍ଭାବ୍ୟ ପ୍ଲେଇଙ୍ଗ-୧୧: ଯଶସ୍ୱୀ ଜଏସ୍ୱାଲ, କେ.ଏଲ ରାହୁଲ, ଶୁଭମନ ଗିଲ୍, ବିରାଟ କୋହଲି, ଋଷଭ ପନ୍ତ, ରୋହିତ ଶର୍ମା, ନୀତିଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା/ୱାଶିଂଟନ୍ ସୁନ୍ଦର, ଆକାଶ ଦୀପ, ଜଶପ୍ରୀତ ବୁମରାହ ଏବଂ ମହମ୍ମଦ ସିରାଜ ।