କାହିଁକି ଗର୍ଭବତୀ ନିଜ ସ୍ୱାମୀଙ୍କୁ ପ୍ରତ୍ୟାଖ୍ୟାନ କରି ଆପଣାଇଲେ ମହିଳା ସାଥୀଙ୍କୁ ?

କୋର୍ଟରେ ମହିଳାଙ୍କ ବଡ ବୟାନ, ସ୍ୱାମୀଙ୍କ ବଦଳରେ ସେ ମହିଳା ସାଥୀଙ୍କୁ ପସନ୍ଦ କରୁଛନ୍ତି

ଅହମଦାବାଦ- ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅସହାୟ ସ୍ୱାମୀ । ନିଜ ଗର୍ଭବତୀ ପତ୍ନୀଙ୍କୁ ତାଙ୍କ ସମଲିଙ୍ଗୀ ସାଥୀଙ୍କଠାରୁ ଫେରି ପାଇବାକୁ କରୁଛନ୍ତି ଗୁହାରୀ । କିନ୍ତୁ ପତ୍ନୀ ସ୍ୱାମୀଙ୍କ ବଦଳରେ ବାଛିଛନ୍ତି ନିଜ ଲେସବିଆନ ସାଥୀଙ୍କୁ ।

ଗତ ସପ୍ତାହରେ ଚନ୍ଦଖେଡାର ଜନୈକ ବାସିନ୍ଦା ଏକ ପିଟିଶନ ଦାୟର କରିଥିଲେ । ସୋମବାର ଦିନ ସିଟି ପୋଲିସ ମହିଳାଙ୍କୁ କୋର୍ଟରେ ଉପସ୍ଥିତ କରିଥିଲା । ତେବେ କୋର୍ଟଙ୍କ ସମ୍ମୁଖରେ ସମ୍ପୃକ୍ତ ମହିଳା ସ୍ୱାମୀଙ୍କ ନିକଟକୁ ଫେରିବାକୁ ମନା କରିଦେଇଥିଲେ । ସ୍ୱାମୀଙ୍କ ବଦଳରେ ସେ ନିଜ ସମଲିଙ୍ଗୀ ସାଥୀଙ୍କ ସହ ରହିବାକୁ କହିଥିଲେ ।

ସମ୍ପୃକ୍ତ ମହିଳାଙ୍କ ଇଛା ମୁତାବକ, କୋର୍ଟ ମଧ୍ୟ ମହିଳାଙ୍କୁ ତାଙ୍କ ମହିଳା ସାଥୀ ସହ ରହିବାକୁ ଅନୁମତି ଦେଇଦେଲେ । ଏଥିସହ କୋର୍ଟ ତାଙ୍କ ରାୟରେ କହିଲେ କି, ମହିଳାଙ୍କୁ ତାଙ୍କ ସାଥୀ ସହ ରହିବାକୁ ଅନୁମତି ଦିଆଯାଇଛି, କାରଣ ମହିଳାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ ତଥା ମାନସିକ ରୂପେ ନିର୍ଯାତନା ଦେଉଥିଲେ । ସେଥିପାଇଁ ସେ ସ୍ୱାମୀଙ୍କ ଘର ଛାଡି ସାଙ୍ଗଙ୍କ ସହ ରହିବାକୁ ନିଷ୍ପତ୍ତି ନେଲେ ।

ଅନୈତିକ ସମ୍ପର୍କ ସମ୍ବନ୍ଧରେ କୋର୍ଟ କହିଛନ୍ତି କି, ମହିଳା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କର ସେହି ମହିଳାଙ୍କ ସହ କୌଣସି ଅନୈତିକ ସମ୍ପର୍କ ନାହିଁ । ଏଥିସହ ମହିଳା ଅନୁରୋଧ କରିଥିଲେ କି ତାଙ୍କ ଇଛାରେ ତାଙ୍କୁ ସ୍ୱାଧୀନ ଛାଡିଦିଆଯାଉ ।

ତେବେ ଗତ ସପ୍ତାହରେ ଅଭିଯୋଗକାରୀ କୋର୍ଟଙ୍କୁ ଅନୁରୋଧ କରିଥିଲେ କି ତାଙ୍କ ପତ୍ନୀଙ୍କୁ ତାଙ୍କ ନିକଟକୁ ପଠାଇ ଦିଆଯାଉ । ଏଥିସହ ସେ ଅଭିଯୋଗ କରିଥିଲେ କି, ତାଙ୍କ ପତ୍ନୀଙ୍କୁ ମହିଳା ସାଥୀ ବେଆଇନ ଭାବେ ଅଟକାଇରଖିଛନ୍ତି । ସେ ସମାନ ଅଞ୍ଚଳରେ ରହିଥିବା ବେଳେ ଅଭିଯୋଗକାରୀଙ୍କ ପତ୍ନୀ ନିଖୋଜ ହେବା ପରେ ସେ କେଉଁଠି ଅଛନ୍ତି, ତାର ପତ୍ତା ତାଙ୍କୁ ନଥିବା ସେ କୋର୍ଟଙ୍କୁ ଅବଗତ କରିଥିଲେ ।
ପତ୍ନୀଙ୍କ ଉପସ୍ଥିତି ନେଇ ସେ ଥାନାରେ ଅଭିଯୋଗ କରିବା ପରେ ଜାଣିବାକୁ ପାଇଥିଲେ । ସେ ପୋଲିସ ନିକଟରେ ନିଜ ଗର୍ଭବତୀ ପତ୍ନୀଙ୍କୁ ଖୋଜି ବାହାର କରିବାକୁ ଅନୁରୋଧ କରିବା ସମୟରେ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଏହି ତଥ୍ୟ ଦେଇଥିଲେ ।