HMPVରେ ଆକ୍ରାନ୍ତ ହେଲେ କଣ କରିବେ? ଜାଣନ୍ତୁ କେଉଁଠି ଏବଂ କେତେ ଟଙ୍କା ରହିଛି ଟେଷ୍ଟିଂ ଫି

2ରୁ 3 ହଜାର ଚଙ୍କା ରହିଛି HMPV ଟେଷ୍ଟିଂ ଦାମ୍ । ଏଠାରେ କରାଯାଉଛି ଟେଷ୍ଟିଂ

ନୂଆଦିଲ୍ଲୀ: ଭାରତରେ ବଢି ଚାଲିଛି ହ୍ୟୁମାନ ମେଟାନ୍ୟୁମୋଭାଇରସ ବା HMPV ମାମଲା। ମଙ୍ଗଳବାର ଦେଶରେ ଆଉ 2ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସଂଖ୍ୟା 7କୁ ପହଞ୍ଚିଛି ।

2 ଜଣ ବେଙ୍ଗାଲୁରୁରୁ, ଜଣେ ଲେଖାଏଁ ଅହମ୍ମଦାବାଦ, ଚେନ୍ନାଇ ଏଂ ସଲେମରୁ ଚିହ୍ନଟ ହୋଇଛନ୍ତି । ନିକଟରେ ନାଗପୁରରୁ ମଧ୍ୟ ମାମଲା ସାମ୍ନାକୁ ଆସିଛି । ତେବେ ରିପୋର୍ଟକୁ ଯଦି ଦେଖାଯାଏ, ତାହାଲେ ଏହି ଭାଇରସ ସମଗ୍ର ଦେଶରେ ବ୍ୟାପିବ ବୋଲି କୁହାଯାଇଛି ।

HMPV କଣ- ଏଚଏମପିଭି ଏକ ଶ୍ବାସକ୍ରିୟା ଜନିତ ରୋଗ । ଏହା ହେବା ଦ୍ବାରା ସାଧାରଣତଃ ଥଣ୍ଡା, ଜ୍ବର, ଗଳା ଯନ୍ତ୍ରଣା ଏବଂ ନାକ ବନ୍ଦ ଭଳି ସମସ୍ୟା ଦେଖାଯାଇଥାଏ । ଅଧିକାଂଶ ବ୍ୟକ୍ତି ପାଣି ପିଇବା ଏବଂ ବିଶ୍ରାମ ନେବା ଦ୍ବାରା ସୁସ୍ଥ ହୋଇଯାଇଥାନ୍ତି । କିନ୍ତୁ ଯେଉଁମାନଙ୍କର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ରହିଥାଏ, ସେମାନଙ୍କ କ୍ଷେତ୍ରରେ ଏହା ଜଟିଳତା ସୃଷ୍ଚି କରିପାରେ । ବିଶେଷକରି ଶିଶୁ ଏବଂ ବୃଦ୍ଧଙ୍କ କ୍ଷେତ୍ରରେ ଏହା ଦେଖାଯାଇଥାଏ ।

କେତେ ଟଙ୍କା ଟେଷ୍ଟିଂ ଫି-  HMPV ପରୀକ୍ଷା ପାଇଁ ବାୟୋଫାୟାର ପ୍ୟାନେଲ ଭଳି ଆଡଭାନ୍ସ ରୋଗ ନିର୍ଣ୍ଣୟ ପଦ୍ଧତି ଆବଶ୍ୟକ । ଯାହା ଗୋଟିଏ ପରୀକ୍ଷାରେ HMPV ସମେତ ଅନେକ ରୋଗଜୀବାଣୁକୁ ଚିହ୍ନଟ କରିପାରିବ । ଭାରତରେ ଅନେକ ଘରୋଇ ପରୀକ୍ଷାଗାରରେ ଏହି ଟେଷ୍ଟିଂ କରାଯାଉଛି । ଡକ୍ଟର ଲାଲ ପାଥଲ୍ୟାବ୍ସ, ଟାଟା 1mg ଲ୍ୟାବ୍ସ ଏବଂ ମ୍ୟାକ୍ସ ହେଲଥକେୟାର ଲ୍ୟାବ୍ ଭଳି ପ୍ରମୁଖ ପରୀକ୍ଷାଗାରରେ RT PCR ପରୀକ୍ଷା ଦ୍ବାରା ରୋଗ ଚିହ୍ନଟ କରାଯାଉଛି । ଏହାର ଦାମ୍ 3,000 ଟଙ୍କାରୁ 8,000 ଟଙ୍କା ପର୍ଯ୍ୟନ୍ତ ରହୁଥିବା ଜଣାପଡିଛି ।

HMPV, Adenovirus, Coronavirus 229E, ଏବଂ Coronavirus HKU1 ଅନ୍ତର୍ଭୁକ୍ତ ଏକ ଅଧିକ ବ୍ୟାପକ ପରୀକ୍ଷା ପାଇଁ, ମୋଟ ଖର୍ଚ୍ଚ 20,000 ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ଏହି ପରୀକ୍ଷା ପାଇଁ କଫ, ଲାଳ,ବ୍ରୋଙ୍କୋଆଲଭିଓଲାର୍ ଲାଭେଜ୍ (BAL), କିମ୍ବା ଟ୍ରାକିଆଲ୍ ଆସ୍ପିରେଟ୍ ଦ୍ବାରା ପରୀକ୍ଷା କରାଯାଇଥାଏ ।

ସୁସ୍ଥ ବ୍ୟକ୍ତିମାନଙ୍କଠାରେ, HMPV ସାଧାରଣତଃ ଗଳା ଯନ୍ତ୍ରଣା, ନାକ ବନ୍ଦ ହେବା, କାଶ ଏବଂ ସାମାନ୍ୟ ଜ୍ୱର ଭଳି ହାଲୁକା ଲକ୍ଷଣ ସୃଷ୍ଟି କରେ । କିନ୍ତୁ ବୟସ୍କ ବ୍ୟକ୍ତି ଏବଂ ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଥିବା ବ୍ୟକ୍ତିମାନଙ୍କର ଘୁଂଘୁଂ ଶବ୍ଦ, ଶ୍ୱାସକ୍ରିୟା କଷ୍ଟ ଏବଂ ନିମୋନିଆ ସମେତ ଅଧିକ ଗୁରୁତର ଶ୍ୱାସକ୍ରିୟା ଜଟିଳତା ସୃଷ୍ଟି କରିପାରେ ।

ବର୍ତ୍ତମାନ, HMPV ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ୍ ଔଷଧ ବାହାରି ପାରି ନାହିଁ । ମୃଦୁ ଲକ୍ଷଣ ଥିବା ଅଧିକାଂଶ ବ୍ୟକ୍ତି ଘରେ ବିଶ୍ରାମ ଏବଂ ହାଇଡ୍ରେଟ ରହିବା ପାଇଁ ପରାମର୍ଶ ଦିଆଯାଇଛି । କିନ୍ତୁ ସ୍ବାସ୍ଥ୍ୟବସ୍ଥା ବିଗିଡିବା ଦ୍ବାରା ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ବୋଲି କୁହାଯାଇଛି ।