ରୋଗ ନା ମହାମାରୀ! ୩ ଦିନରେ ଝଡ଼ି ଯାଉଛି କେଶ, ପିଲାଙ୍କଠୁ ବଡ଼ କେହି ପଡୁନାହାଁନ୍ତି ବାଦ୍
ମାତିଛି ଚନ୍ଦା ଭୂତାଣୁ! କାହାରି ମୁଣ୍ଡରେ ରଖୁନି ଚୁଟି। ନାକେଦମ ହେଲେଣି ଲୋକେ। ଖବର ପାଇ ପହଞ୍ଚିଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ।
ନୂଆଦିଲ୍ଲୀ: ଗୋଟେପଟେ ଏଚଏମପିଭି ଆତଙ୍କ ରଚିଥିବାବେଳେ, ଅନ୍ୟପଟେ ଡରାଲାଣି ଅଜବ ରୋଗ। କୁଣ୍ତେଇ ହୋଇ ଝଡ଼ି ଯାଉଛି କେଶ। ପିଲାଙ୍କଠୁ ବୁଢ଼ା, ସ୍ତ୍ରୀ ହେଉକି ପୁରୁଷ ସମସ୍ତେ ହୋଇଯାଉଛନ୍ତି ଚନ୍ଦା।
ବାସ୍ତବରେ ମହାରାଷ୍ଟ୍ରର ବୁଲଧାନାରେ ଏହି ଅଜବ ରୋଗ ବ୍ୟାପିବାରେ ଲାଗିଛି। ଯେଉଁଥିରେ ଲୋକଙ୍କ କେଶ ହଠାତ୍ ଛଡ଼ି ଯାଉଛି। ମହାରାଷ୍ଟ୍ରର ତିନୋଟି ଗାଁରେ ଏକ ଅଜବ ଘଟଣାକୁ ନେଇ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।
ପୁରୁଷ, ମହିଳା ଓ ପିଲା: ହଠାତ୍ କେଶ ଝଡ଼ିବା ଓ ଚନ୍ଦା ସମସ୍ୟା ସହ ପୁରୁଷ, ମହିଳା ଓ ଶିଶୁମାନେ ସଂଘର୍ଷ କରୁଛନ୍ତି। ବୁଲଧାନା ଜିଲ୍ଲାର ଏହି ଗାଁଗୁଡ଼ିକର ପ୍ରାୟ ୩୦ରୁ ୪୦ ଜଣଙ୍କ କେଶ ବହୁତ ଝଡ଼ିଯାଇଥିବା ସୂଚନା ମିଳିଛି।
ଯାହା ପରେ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କିଛି କ୍ଷେତ୍ରରେ କିଛି ଦିନ ମଧ୍ୟରେ ଲୋକଙ୍କ କେଶ ସମ୍ପୂର୍ଣ୍ଣ ଖସି ଯାଇଥାଏ।
ହଠାତ୍ କେଶ ଝଡ଼ିବା ପଛରେ କୌଣସି ରୋଗ ଅଛି ନା ଅନ୍ୟ କୌଣସି କାରଣ ରହିଛି ତାହା ରହସ୍ୟ ହୋଇ ରହିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଜିଲ୍ଲାରେ ଚିନ୍ତା ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।
ମୁହଁରୁ ଝଡ଼ୁଛି ଦାଢ଼ି: ବାରମ୍ବାର ଅନେକ ଲୋକଙ୍କ ଠାରୁ ହଠାତ୍ କେଶ ଝଡ଼ିବା ଖବର ପାଇବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ବଣ୍ଡଗାଁ, କଲୱାଡ ଓ ହିଙ୍ଗନା ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ରୋଗୀଙ୍କୁ ଯାଞ୍ଚ କରି ଘଟଣାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ।
ସେ ଏକ ଛୋଟ ବ୍ୟାଗରେ ନିଜ କେଶକୁ ସୁରକ୍ଷିତ ରଖିଛନ୍ତି। ଜଣେ ଯୁବକ କହିଛନ୍ତି ଯେ ତାଙ୍କ କେଶ ମଧ୍ୟ ଖସିଯାଉଛି ଏବଂ ତାଙ୍କ ମୁଣ୍ଡରେ ଥିବା କେଶ ଗତ ୧୦ ଦିନ ହେବ ଦ୍ରୁତ ଗତିରେ ଖସିଆସୁଛି।
ତାଙ୍କ ମୁହଁର ଦାଢ଼ି ମଧ୍ୟ ଖସିଯାଉଛି। ଯାଞ୍ଚ ଦଳରେ ଥିବା ଜଣେ ସ୍କିନ୍ କେୟାର ବିଶେଷଜ୍ଞ କହିଛନ୍ତି ଯେ ୩ଟି ଗାଁରୁ ସଂଗ୍ରହ କରାଯାଇଥିବା ପାଣି ନମୁନା ପରୀକ୍ଷା ପାଇଁ ପଠାଯାଇଛି।
ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅମୋଲ ଗୀତେ କହିଛନ୍ତି, ଖବର ପାଇବା ମାତ୍ରେ ପ୍ରାଥମିକ ତଦନ୍ତ ପାଇଁ ଜଣେ ଚର୍ମ ରୋଗ ବିଶେଷଜ୍ଞ ଓ ଜଣେ ମହାମାରୀ ବିଶେଷଜ୍ଞଙ୍କୁ ଗାଁକୁ ପଠାଇଥିଲୁ।
ପାଣିର ହେବ ପରୀକ୍ଷା: ପାଖାପାଖି ୯୯ ପ୍ରତିଶତ କ୍ଷେତ୍ରରେ ମୁଣ୍ଡରେ ଫଙ୍ଗଲ ଇନଫେକ୍ସନ ଦେଖିବାକୁ ମିଳିଥାଏ । ଯାହା ଦ୍ୱାରା ଲୋକଙ୍କ କେଶ ଝଡିଯାଏ । ପାଣିରେ ମେଟାଲ ଅଛି କି ନାହିଁ ତାହା ମଧ୍ୟ ପରୀକ୍ଷା ହେବ ।
କାରଣ ଏହା ଫଙ୍ଗଲ ସଂକ୍ରମଣକୁ ପ୍ରୋତ୍ସାହିତ କରିଥାଏ । ଆମେ ୨-୪ ଜଣ ରୋଗୀଙ୍କ ଚର୍ମ ନମୁନା ନେଇ ମାଇକ୍ରୋସ୍କୋପି ପାଇଁ ଆକୋଲା ମେଡିକାଲ କଲେଜକୁ ପଠାଇବୁ।
ଦୁଇ ତିନି ଦିନ ମଧ୍ୟରେ ପାଣି ନମୁନା ପରୀକ୍ଷା ଓ ବାୟୋପ୍ସି ରିପୋର୍ଟ ଆସିବ ବୋଲି ଗୀତେ କହିଛନ୍ତି। କେଶ ଝଡ଼ିବାର କାରଣ ବିଷୟରେ କିଛି ଠୋସ୍ କୁହାଯାଇପାରିବ ନାହିଁ।