ନୂଆଦିଲ୍ଲୀ: ସୋମବାରଠାରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ପ୍ରଥମ ପୁରୁଷ ଓ ମହିଳା ଖୋଖୋ ବିଶ୍ୱକପ ଚଳିତ ଜାନୁଆରୀ ୧୩ରୁ ୧୯ ପର୍ଯ୍ୟନ୍ତ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ୧୯ ଜାନୁଆରୀରେ ଫାଇନାଲ ସହିତ ସମ୍ପୂର୍ଣ୍ଣ ସପ୍ତାହ ଧରି ଚାଲିବ। ଏଥିରେ ପୁରୁଷ ବିଭାଗରେ ଭାରତ ସମେତ ୨୦ଟି ଓ ମହିଳା ବିଭାଗରେ ୧୯ଟି ଦେଶ ଅଂଶଗ୍ରହଣ କରୁଛନ୍ତି।
ଦଳ ଗୁଡ଼ିକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ପୁରୁଷ ବର୍ଗରେ ଭାରତ ଗ୍ରୁପ-ଏ ରେ ନେପାଳ, ପେରୁ, ବ୍ରାଜିଲ ଓ ଭୂଟାନ ସହିତ ସ୍ଥାନ ପାଇଛି। ପ୍ରତି ଗ୍ରୁପର ଶ୍ରେଷ୍ଠ ଦୁଇ ଦଳ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବେ । ସୋମବାର ପୁରୁଷ ବର୍ଗରେ ଭାରତ-ନେପାଳ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।
ମହିଳା ବର୍ଗରେ ଭାରତ ଗ୍ରୁପ-ଏ ରେ ଇରାନ, ଦକ୍ଷିଣ କୋରିଆ ଓ ମାଲେସିଆ ସହ ସ୍ଥାନ ପାଇଛି। ଭାରତ ୧୪ରେ ଦକ୍ଷିଣ କୋରିଆ ସହ ଖେଳି ଅଭିଯାନ ଆରମ୍ଭ କରିବ। ମ୍ୟାଚ ୭-ଏ ସାଇଡ୍ ଆଧାରରେ ଖେଳାଯିବ। ୧୭ରେ ଉଭୟ ପୁରୁଷ ଓ ମହିଳା ବର୍ଗ କ୍ୱାର୍ଟର ଫାଇନାଲ, ୧୮ ରେ ସେମିଫାଇନାଲ ଓ ୧୯ରେ ଫାଇନାଲ ଖେଳାଯିବ।
ପ୍ରତିଯୋଗିତାରେ ଭାରତୀୟ ଦଳରେ ଓଡ଼ିଶାରୁ ୩ ଖେଳାଳି ସ୍ଥାନ ପାଇଛନ୍ତି । ପୁରୁଷ ଦଳରେ ଏକମାତ୍ର ଓଡ଼ିଆ ଭାବେ ପବନି ଶବର ରହିଥିବାବେଳେ ମହିଳା ଦଳରେ ଦୁଇ ଖେଳାଳି ଶୁଭଶ୍ରୀ ସିଂହ ଓ ମାଗାଇ ମାଝି ରହିଛନ୍ତି।