ଭୁବନେଶ୍ଵର: ଓଡ଼ିଶା ସରକାରଙ୍କୁ ବାଲ୍ୟ ବିବାହ ଚିନ୍ତା। ସ୍କୁଲ ଆସୁ ନାହାନ୍ତି ୧୧ ହଜାର ଶିକ୍ଷାର୍ଥୀ। ପ୍ରାୟ ମାସାଧିକ କାଳ ଧରି ସ୍କୁଲର ବାରଣ୍ଡା ମାଡ଼ୁ ନାହାନ୍ତି। କାହିଁକି ଆସୁନାହାନ୍ତି ? ତାର ସୂଚନା ମଧ୍ୟ ସ୍କୁଲ ପାଖରେ ନାହିଁ। ସ୍କୁଲ ଆସୁନଥିବା ପିଲାଙ୍କ ମଧ୍ୟରୁ ଅନେକ ବାଲ୍ୟ ବିବାହ କରିଥିବା ଏବଂ ଆଗକୁ ଆଉ କିଛି ଏହାର ଶିକାର ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍ସିପିସିଆର)।
ରାଜ୍ୟରେ ଏହି ବାଲ୍ୟ ବିବାହ ରୋକିବା ଦିଗରେ ପଦକ୍ଷେପ ନେବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ସରକାର ଏନ୍ସିପିସି ଆରଜାରି କରିଥିବା ରିପୋର୍ଟକୁ ଗମ୍ଭୀରତାର ସହ ନେଇଛନ୍ତି। ଜିଲ୍ଲାପାଳଙ୍କୁ ଚିଠି ଲେଖି ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ମାର୍ଗଦର୍ଶିକା ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ସ୍କୁଲରୁ କେତେ ପିଲା ଏକ ମାସରୁ ଅଧିକ ଦିନ ଧରି ସ୍କୁଲ ଆସୁନାହାନ୍ତି ? ସେ ସଂପ ସଂପର୍କରେ ସ୍କୁଲ ପ୍ରଧାନଶିକ୍ଷକ ତୁରନ୍ତ ସଂପୁକ୍ତ ବ୍ଳକ କର୍ତ୍ତୃପକ୍ଷଙ୍କୁ ଜଣାଇବେ। ବ୍ଳକ୍ କର୍ତ୍ତୃପକ୍ଷ ଏହି ରିପୋର୍ଟ ଅନୁଯାୟୀ ଅଙ୍ଗନବାଡ଼ି କର୍ମୀଙ୍କୁ ସର୍ଭେ କରିବାକୁ ନିର୍ଦ୍ଦେଶ ଦେବେ। ଅଙ୍ଗନବାଡ଼ି କର୍ମୀ ଅନୁପସ୍ଥିତ ରହୁଥିବା ଶିକ୍ଷାର୍ଥୀଙ୍କ ଘରକୁ ଯିବେ। ଅନୁପସ୍ଥିତର କାରଣ ଖୋଜିବେ।
ସୂଚନାଯୋଗ୍ୟ, ଦେଶରେ ୨ ଲକ୍ଷ ୫୮ ହଜାର ୩୭ଟି ଗାଁର ୧ କୋଟି ୨୨ ଲକ୍ଷ ୧୭ ହଜାର ୬ ଜଣ ଲୋକଙ୍କୁ ନେଇ ୨ ଲକ୍ଷ ୯୨ହଜାର ୫୨୫ ଥର ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।ଏଥିରୁ ଓଡ଼ିଶାରେ ୩୦ ହଜାର ୭୫୫ ଗାଁର ୬ ଲକ୍ଷ ୬୦ ହଜାର ୪୯୦ ଲୋକଙ୍କୁ ନେଇ ୩୩,୨୭୬ ଥର ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ସେହିପରି ଦେଶରେ ୫ ଲକ୍ଷ ୪୨ ହଜାର ୩୪୧ ଗାଁର ୬୧ ଲକ୍ଷ ୮୬ ହଜାର ୯୦୬ ଜଣ ଅଧିକାରୀଙ୍କୁ ନେଇ ୪ ଲକ୍ଷ ୩୦ ହଜାର ୨୪୭ ଥର ବୈଠକ ହୋଇଛି। ଏଥିରୁ ୫୧ ହଜାର ୫୩୯ଟି ଗାଁ ଓଡ଼ିଶାର ଥିବା ବେଳେ ୪ଲକ୍ଷ ୯୯ ହଜାର ୨୨୩ ଜଣ ଅଧିକାରୀଙ୍କୁ ନେଇ ୬୫ ହଜାର ୬୧୧ ଥର ସଚେତନତା କାର୍ଯ୍ୟକ୍ରମ କରାଯାଇଛି।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆରବି) ତଥ୍ୟ ଅନୁଯାୟୀ, କୋଭିଡ୍-୧୯ ସମୟରେ ଓଡ଼ିଶାରେ ସର୍ବାଧିକ ବାଲ୍ୟ ବିବାହ ହୋଇଛି। ୨୦୨୨ରେ ୪୬, ୨୦୨୦ ଓ ୨୦୨୧ରେ ୬୪ ଜଣ ବାଲ୍ୟ ବିବାହ କରିଥିଲେ। ଯାହା ଗତ ଦଶନ୍ଧିର ସର୍ବାଧିକ ଥିଲା । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍ଏଚ୍ଏସ୍) ଅନୁଯାୟୀ ବର୍ତ୍ତମାନ ବାଲ୍ୟ ବିବାହ ଓଡ଼ିଶାରେ କମୁଛି। ରାଜ୍ୟରେ ୨୦୧୫- ୧୬ରେ ବାଲ୍ୟ ବିବାହର ୨୧.୩ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ଏହା ୨୦.୫ ପ୍ରତିଶତ ରହିଛି।