ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ୍ ମୁଣ୍ଡରେ ଚଡ଼କ, ଥାନାରେ ଦାୟର ହେଲା ୫ ମାମଲା
ଅଡ଼ୁଆରେ ଅରବିନ୍ଦ କେଜ୍ରିଓ୍ୱାଲ। ନିର୍ବାଚନ ଯେତିକି ଘନଉଛି, ଅଡ଼ୁଆ ସେତିକି ବଢ଼ୁଛି। ବିପଦରେ ପଡ଼ିପାରେ ଦଳ। ବିଜେପି ରୁଜୁ କଲା ପାଞ୍ଚ ମାମଲା।
ନୂଆଦିଲ୍ଲୀ: ଦିନକୁ ଦିନ ଆପ୍ ର ଅଡ଼ୁଆ ବଢ଼ିବାରେ ଲାଗିଛି। ପୂର୍ବରୁ ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ଥିବା ସମୟରେ ମନି ଲଣ୍ଡ୍ରିଂ ମାମଲାରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଗିରଫ କରାଯାଇଥିଲା।
କେବଳ କେଜ୍ରିଓ୍ୱାଲ ନୁହଁନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ଦୀର୍ଘ ଦିନ ଜେଲରେ କାଟିବା ପରେ ଦୁହିଁଙ୍କ ଉପରେ ଲାଗିଥିବା ମାମଲା ପ୍ରମାଣିତ ହୋଇନପାରିବାରୁ ପ୍ରଥମେ ସିସୋଦିଆ ଓ ପରେ କେଜ୍ରିଓ୍ୱାଲଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଯାହାପରେ ଅନେକ ଘଟଣା ସାମ୍ନାକୁ ଆସିଥିଲା।
ଜେଲରୁ ବାହାରି କେଜ୍ରିଓ୍ୱାଲ ଓ ମନୀଷ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାସହ ଦିଲ୍ଲୀବାସୀଙ୍କ ମନ ଜିତିବା ପାଇଁ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯାଇଥିଲା।
ହେଲେ ଆପର ପ୍ରତ୍ୟେକ ମେମ୍ୱରଙ୍କ ସମେତ ଅନେକ ଆଗଧାଡିର ନେତା ଅଭିଯୋଗ କରିଥିଲେ କି, ବିଜେପି ନିର୍ବାଚନ ହାରିଯିବା ଭୟରେ କେଜ୍ରିଓ୍ୱାଲଙ୍କୁ ମିଛ କେଶରେ ଗିରଫ କରାଇଥିଲେ। ହେଲେ ଏବେ ପୁଣିଥରେ ଅଡୁଆରେ ପଡିଛନ୍ତି କେଜ୍ରିଓ୍ୱାଲ।
କିଏ କରିଛି ମାମଲା: ଦେଖିବାକୁ ଗଲେ ଆପ୍ ବିରୋଧରେ ଗୋଟେ ନୁହେଁ କି ଦୁଇଟି ନୁହେଁ ପାଖାପାଖି ପାଞ୍ଚଟି ମାମଲା ରୁଜ୍ଜୁ ହୋଇଛି। ଯେହେତୁ କେଜ୍ରିଓ୍ୱାଲ ଆପର ମୁଖିଆ ତେଣୁ ତାଙ୍କ ବିରୋଧରେ ସମସ୍ତ କେସ ଥାନାରେ ରୁଜ୍ଜୁ ହୋଇଥିବା କଥା ସାଧାରଣରେ ଚର୍ଚ୍ଚା ହେଉଛି।
ଅନ୍ୟପଟେ ଯଦି ଦେଖିବା ଏବେ ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ତା ଉପରେ ପୁଣି ଏକାଥରେ ଏତେ ଗୁଡାଏ ମାମଲା ଯାହାକି ଆପ ପାଇଁ କାଳ ସାଜିପାରେ ବୋଲି କୁହାଯାଉଛି।
ଆଉ ଏହି ସବୁ ମାମଲା ଏମିତି ସେମିତି ମାମଲା ନୁହେଁ ଖୋଦ ବିଜେପି ମୁଖିଆମାନଙ୍କ ବିରୋଧରେ ଆପ କରିଥିବା ଅପପ୍ରଚାରକୁ ନେଇ।
ପ୍ରଥମ ମାମଲା: ଆପର ସୋସିଆଲ ମିଡିଆ ହ୍ୟାଣ୍ଡଲ ଏକ୍ସରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ନେଇ ଏକ ଭିଡିଓ ପୋଷ୍ଟ କରାଯାଇଛି। ଯାହାକି ଏଆଇ ଜେନେରେଟେଡ୍ ଫଟୋ ଏବଂ ଭିଡିଓ।
ଯେଉଁ ପୋଷ୍ଟ ବିରୋଧରେ ଦିଲ୍ଲୀ ପୋଲିସ ଆମ ଆଦମୀ ପାର୍ଟି ବିରୋଧରେ ଏକ ଏଫ.ଆଇ.ଆର ରୁଜୁ କରିଛି। ପୋଲିସ ସୂତ୍ରରୁ ଜଣାପଡିଛି ଯେ ନର୍ଥ ଆଭେନ୍ୟୁ ପୋଲିସ ଷ୍ଟେସନରେ ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଦ୍ୱିତୀୟ ମାମଲା: ତେବେ କିଛି ଦିନ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ୱାଲ ଏକ ବୟାନ ଦେଇଥିଲେ। ଯେଉଁଥିରେ ସେ କହିଥିଲେ ୟୁପି ଓ ବିହାରରୁ ଲୋକଙ୍କୁ ଆଣି ୧୩ ହଜାର ଭୋଟ ସୃଷ୍ଟି କରାଯାଇଛି।
ଯାହା ମିଥ୍ୟା ବୟାନ ବୋଲି କୁହାଯିବା ସହ, ଆପର ମୁଖିଆ ଅରବିନ୍ଦ କେଜ୍ରିଓ୍ୱାଲ ଏବଂ ପଞ୍ଚାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।
ତୃତୀୟ ମାମଲା: ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ବିକୃତ ସ୍ୱର ସହ ଏକ ଭିଡିଓ ପୋଷ୍ଟ କରିବା ପାଇଁ ମଧ୍ୟ କେଜ୍ରିଓ୍ୱାଲ ଓ ଦଳ ବିରୋଧରେ ତୃତୀୟ ମାମଲା ରୁଜୁ କରାଯାଇଛି।
ଚତୁର୍ଥ ମାମଲା: ଚତୁର୍ଥ ମାମଲା ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ମିଛ ଟିପ୍ପଣୀ ଦେବାକୁ ନେଇ। ଯାହାକି ଅରବିନ୍ଦ କେଜ୍ରିଓ୍ୱାଲ ଓ ଆପର ନେତା ସୋସିଆଲ ମିଡିଆରେ କରୁଥିବା ନେଇ ଜଣାପଡ଼ିବା ପରେ ତାଙ୍କ ବିରୋଧରେ ମାମଲା କରାଯାଇଛି।
ପଞ୍ଚମ ମାମଲା: ପଞ୍ଚମ ମାମଲା ଏଥିପାଇଁ କରାଯାଇଛି କି ରାମ ଗୁପ୍ତା ଏଆଇ ଭିଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଘର ଦେଖାଇବାକୁ ଚେଷ୍ଟା କରିଛନ୍ତି। ଯଦ୍ୱାରା ଆପର ଅଡ଼ୁଆ ବଢ଼ିଯାଇଛି।
ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ଦଳ ବିରୋଧରେ ଏପରି ମାମଲା ହେବା କେଉଁଠିନା କେଉଁଠି ଆପକୁ ବିପଦରେ ପକାଇବାର ଆଶଙ୍କା ଉପୁଜୁଛି। ଅନ୍ୟପଟେ ପୂର୍ବପରି ବିଜେପି ନିର୍ବାଚନକୁ ଆଖିଆଗରେ ରଖି ଏପରି କରୁଥିବା ଆପ ଅଭିଯୋଗ କରିଛି।