Video: ଦୁର୍ବୁତ୍ତଙ୍କ ଗୁଳିରେ ଟଳିଲେ ATM ସିକ୍ୟୁରିଟି ଗାର୍ଡ଼, ଲୁଟ ହୋଇଗଲା 93 ଲକ୍ଷ

[Video] ଦିବାଲୋକରେ ବଡ଼ ATM ଲୁଟ, ସୁରକ୍ଷାକର୍ମୀଙ୍କୁ ଗୁଳି କରି ଲୁଟିନେଲେ 93 ଲକ୍ଷ ଟଙ୍କା। କର୍ଣ୍ଣାଟକର ବିଦର ଜିଲ୍ଲାରେ ଚାଞ୍ଚଲ୍ୟକର ଘଟଣା।

ବେଙ୍ଗାଲୁରୁ: ଦିନ ଦ୍ୱିପ୍ରହରରେ ଗାର୍ଡ଼ଙ୍କୁ ଗୁଳି କରି ଲୁଟିନେଲେ 93 ଲକ୍ଷ ଟଙ୍କା। କର୍ଣ୍ଣାଟକର ବିଦର ଜିଲ୍ଲାରେ ଥିବା SBI ATMରେ ଟଙ୍କା ଭର୍ତ୍ତି କରିବାକୁ ଆସିଥିଲେ ଦୁଇଜଣ ଗାର୍ଡ଼।

ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପାଖରେ ଥିଲା 93 ଲକ୍ଷ ଟଙ୍କା। ଯାହାକୁ ଲୁଟ୍ କରିବା ଉଦ୍ଦେଶ୍ୟରେ ଆସି ସମ୍ପୂର୍ଣ୍ଣ ଦିବା ଲୋକରେ ଗାର୍ଡ଼ଙ୍କୁ ଗୁଳି କରିବା ସହ ସମସ୍ତ ଟଙ୍କା ଲୁଟି ନେବାରେ ସଫଳ ହୋଇଛନ୍ତି ଅପରାଧୀ।

ଏଟିଏମ ଲୁଟ୍ ହେବା ଘଟଣା କିଛି ନୂଆ କଥା ନୁହେଁ। ଏଟିଏମ ଭାଙ୍ଗି ଦୁର୍ବୁତ୍ତମାନେ ଟଙ୍କା ନେଇଯିବାର ଅନେକ ଘଟଣା ସାମ୍ନାକୁ ଆସିଛି। କେତେକ ସ୍ଥାନରେ ଅପରାଧୀ ଧରା ପଡି ଜେଲ ମଧ୍ୟ ଯାଇଛନ୍ତି।

ହେଲେ ଏବେ ଏହି ଘଟଣା  ସମସ୍ତଙ୍କୁ ଚକିତ କରିଦେଇଛି। କାରଣ ଆପଣମାନେ ଶୁଣିଥିବେ ରାତ୍ରି ସମୟରେ ବିଶେଷ ଭାବରେ ଲୁଟ, ଚୋରି ଭଳି ଘଟଣାମାନ ଘଟିଥାଏ।

ହେଲେ ଏଠି ସମ୍ପୂର୍ଣ୍ଣ ଦିବା ଲୋକରେ ଲୋକମାନଙ୍କ ସାମ୍ନାରେ ସୁରକ୍ଷାକର୍ମୀଙ୍କୁ ଗୁଳି କରାଯାଇଛି। ପରେ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପାଖାପାଖି 93 ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଅପରାଧୀ।

କିପରି ଲୁଟ୍ ହେଲା ଏତେ ଟଙ୍କା: ଘଟଣା ଥିଲା କିଛି ଏପରି, କର୍ଣ୍ଣାଟକର ବିଦର ଜିଲ୍ଲାର ଶିବାଜୀ ଚୌକରେ ଥିବା ଏକ SBI ଏଟିଏମରେ ଭର୍ତ୍ତି ହେବା ପାଇଁ 93 ଲକ୍ଷ ଟଙ୍କା ଅଣାଯାଇଥିଲା। ଯାହାକୁ ଆଣିଥିଲେ ଦୁଇଜଣ ସୁରକ୍ଷାକର୍ମୀ।

କିନ୍ତୁ ହଠାତ୍ ସେଠାରେ ଦୁଇଜଣ ସଶତ୍ସ ଅପରାଧୀ ଲୁଟ୍ କରିବା ଉଦ୍ଦେଶ୍ୟରେ ପହଞ୍ଚିଥିଲେ। ଯାହାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ସୁରକ୍ଷାକର୍ମୀ। ହେଲେ ଓଲଟା ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହେଲେ।

ଟଙ୍କା ନେବାରେ ସୁରକ୍ଷାକର୍ମୀ ବାଧକ ସାଜିବାରୁ ଅପରାଧୀମାନେ ଆଠ ରାଉଣ୍ଡ ଗୁଳି ଚଳାଇ 93 ଲକ୍ଷ ଟଙ୍କା ଲୁଟି ନେବାରେ ସଫଳ ହେଲେ।

କାହାର କଣ କ୍ଷତି ହୋଇଛି: ଫଳରେ ଦୁର୍ବୁତ୍ତଙ୍କ ଗୁଳିରେ ଜଣେ ଗାର୍ଡ ମୃତ୍ୟୁବରଣ କରିଥିବା ବେଳେ, ଅନ୍ୟଜଣେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣା ପଡିଛି।

ତେବେ ଏହି ଘଟଣାଟି ପାଖାପାଖି ସକାଳ 11.30 ସମୟରେ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନିକଟବର୍ତ୍ତୀ ରାସ୍ତା ସବୁକୁ ଅବରୋଧ କରିଛି।

ଏବଂ ଅପରାଧୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ କରିଛି। ହେଲେ ଏବେଯାଏଁ ଡ଼କାୟତମାନେ ଧରାପଡ଼ିନଥିବା ପୋଲିସ ସୂଚନା ଦେଇଛି।