ନୂଆଦିଲ୍ଲୀ: ବିବାହର ପ୍ରଥମ ରାତିରେ କୁମାରୀତ୍ୱ ଯାଞ୍ଚ କରିବାର କୁପ୍ରଥା ବିରୋଧରେ ଇନ୍ଦୋରର ବାଣଗଙ୍ଗା ଅଞ୍ଚଳରେ ରହୁଥିବା ଜଣେ ଯୁବତୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଯୁବତୀ ଜଣକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କ କୁମାରୀତ୍ୱ ଯାଞ୍ଚ କରିବା ପାଇଁ ଭୁଲ ପଦ୍ଧତି ବ୍ୟବହାର କରିଥିଲେ । ଯାହା ଫଳରେ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡିଥିବା କଥା ସେ ଅଭିଯୋଗ କରିଛନ୍ତି ।
ଏହି ମାମଲା ଇନ୍ଦୋର ଜିଲ୍ଲା କୋର୍ଟରେ ପହଞ୍ଚିଥିଲା, ଯେଉଁଠାରେ କୋର୍ଟ ଏହାର ବିଚାର କରି ଶ୍ୱଶୁର ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୁପ୍ରଥାକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପୀଡିତାଙ୍କ ବିବାହ ଡିସେମ୍ବର ୨୦୧୯ରେ ଭୋପାଳର ଜଣେ ଯୁବକଙ୍କ ସହ ହୋଇଥିଲା। ବିବାହ ପରେ ସେ ଗର୍ଭପାତ ଏବଂ ମୃତ ଶିଶୁକନ୍ୟା ଜନ୍ମ ଦେବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବର୍ତ୍ତମାନ ପୀଡିତାଙ୍କର ଏକ ଝିଅ ଅଛି ।
ମହିଳାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା- ମହିଳାଙ୍କ ଅଭିଯୋଗ ପରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଦ୍ୱାରା କରାଯାଇଥିବା ତଦନ୍ତରୁ ଜଣାପଡିଛି ଯେ, ବିବାହର ପ୍ରଥମ ରାତିରେ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କ କୁମାରୀତ୍ୱ ଯାଞ୍ଚ କରିବା ପାଇଁ ଅମାନବୀୟ ପଦ୍ଧତି ଅବଲମ୍ବନ କରିଥିଲେ । ପୀଡିତା ଅଭିଯୋଗ କରିଛନ୍ତି ଯେ ଯୌତୁକ ପାଇଁ ତାଙ୍କୁ ମଧ୍ୟ ନିର୍ଯାତନା ଦିଆଯାଇଥିଲା।