ଭାଙ୍ଗିଲା ବିଜେଡିର ସମସ୍ତ ସଂଗଠନ, ଖୁବଶୀଘ୍ର ହେବ ନବକଳେବର

ନବୀନଙ୍କ ଅନୁମୋଦନ ପରେ ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଂଗଠନ। ବିଜୁ ମହିଳା ଜନତା ଦଳ ସହ ଭାଙ୍ଗିଲା ବିଜୁ ଯୁବ ଛାତ୍ର ଜନତା ଦଳ। ଖୁବଶୀଘ୍ର ହେବ ଦଳର ନବକଳେବର।

ଭୁବନେଶ୍ୱର: ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଂଗଠନ। ଦଳର ହେବ ନବକଳେବର। ମଙ୍ଗ ଧରିବେ ନୂଆ ଚେହେରା। ନା ପୁରୁଣାଙ୍କ ଉପରେ ପୁଣିଥରେ ଭରସା କରିବେ ବିଜେଡି ସୁପ୍ରିମୋ।

ପୂର୍ବରୁ ଦଳର ସାଂଗଠନିକ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ ପ୍ରଣବ ପ୍ରକାଶ ଦାସ। ଆଉ ଏବେ ବିଜେଡିର ସମସ୍ତ ପ୍ରମୁଖ ସଂଗଠନ ଗୁଡିକୁ ଭାଙ୍ଗିଦିଆଯାଇଛି। ନବୀନଙ୍କ ଅନୁମୋଦନ ପରେ ସଂଗଠନ ଭାଙ୍ଗିଛି।

ସାଂଗଠନିକ ନିର୍ବାଚନ: ଯେହେତୁ ଆଗକୁ ଦଳର ସାଂଗଠନିକ ନିର୍ବାଚନ ଅଛି। ପ୍ରାୟ କିଛି ବର୍ଷ ଅନ୍ତରାଳରେ ଏହିପରି ସଂଗଠନର ନବକଳେବର ହୋଇଥାଏ। କେତେବେଳେ ନୂଆ ଚେହେରାକୁ ଦଳର ସୁପ୍ରିମୋ ଭରଷା କରିଥାନ୍ତି। ତ ଆଉ କେତେବେଳେ ପୁରୁଣା ମୁହଁକୁ ଗୁରୁତ୍ୱ ଦେଇଥାନ୍ତି।

ଠିକ୍ ସେହିପରି ଚଳିତ ବର୍ଷ ମଧ୍ୟ ହେବାକୁ ଯାଉଛି ଦଳର ନବକଳେବର। ହେଲେ ଏଥର କିନ୍ତୁ କିଛିଟା ନୂଆ ଘଟଣା ଘଟିପାରେ। କାରଣ ଏଥର ବିଜେଡିର ଅପ୍ରତ୍ୟାଶିତ ପରାଜୟ ଘଟିଛି।

24 ବର୍ଷର ସରକାର ସୋଚନୀୟ ଭାବରେ ପରାଜୟ ବରଣ କରିଛି। ହେଲେ ଆଗକୁ ଆସୁଥିବା ପୌର ନିର୍ବାଚନରେ ଦଳ ଯେପରି ନିଜର ପତିଆରା ଜାହିର କରିପାରିବ। ଆଉ ପୁଣିଥରେ ନିଜର ସ୍ଥାନକୁ ଫେରିପାରିବ ସେଥିପ୍ରତି ଅଧିକ ଗୁରୁତ୍ୱ ଦେଉଛି ଦଳ।

ତେଣୁ କାହା ଦାୟିତ୍ୱରେ ଦଳ ଆଗକୁ ଭଲ ପ୍ରଦର୍ଶନ କରିବ। କିଏ ସେ ଚେହେରା ଯାହା କାନ୍ଧରେ ରହିବ ଦଳର ବୋଝ। ତା ଉପରେ ଏବେ ସମସ୍ତଙ୍କ ନଜର।

ଭାଙ୍ଗିଲା ସାଂଗଠନିକ ଦଳ: ସେପଟେ ବବି ଦାସ ମଧ୍ୟ ପୂର୍ବରୁ ସାଂଗଠନିକ ସମ୍ପାଦକ ପଦରୁ ଇସ୍ତଫା ଦେଇସାରିଥିଲେ। ଆଉ ଏବେ ସେହି ସଂଗଠନ ସବୁ ଭାଙ୍ଗି ଦିଆଯାଇଛି। ଯେପରିକି ବିଜୁ ମହିଳା ଜନତା ଦଳ।

ବିଜୁ ଯୁବ ଓ ଛାତ୍ର, ଶ୍ରମିକ ସାମ୍ମୁଖ୍ୟ, ଲିଗାଲ ସେଲକୁ ମଧ୍ୟ ନବୀନଙ୍କ ଅନୁମୋଦନ ପରେ ଭଙ୍ଗାଯାଇଛି। ଅନୁମାନ କରାଯାଉଛି ଯଥାଶୀଘ୍ର ଦଳର ନବକଳେବର ହେବ। ଏବଂ ଅନେକ ବରିଷ୍ଠଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ଦିଆଯିବ ବୋଲି ଆଶା କରାଯାଉଛି।