କ୍ଷମତା ଯିବା ପରେ ନିୟନ୍ତ୍ରଣ ବାହାରକୁ ଯାଉଛି ବିଜେଡି ସଂଗଠନ, ଚିନ୍ତାରେ ନବୀନ
ଯେଉଁଠି ଦିନେ ନବୀନଙ୍କ ବିନା ଇସାରାରେ ପତ୍ରଟିଏ ହଲୁ ନ ଥିଲା, ଏବେ ଦଳର କିଛି ନେତା ଅଲଗା ଅଲଗା ମେଳି କରୁଛନ୍ତି।
ଭୁବନେଶ୍ଵର: କ୍ଷମତା ଯିବା ପରେ ନବୀନଙ୍କ ନିୟନ୍ତ୍ରଣ ବାହାରକୁ ଯାଉଛି ବିଜେଡି ସଂଗଠନ। ଯେଉଁଠି ଦିନେ ନବୀନଙ୍କ ବିନା ଇସାରାରେ ପତ୍ରଟିଏ ହଲୁ ନ ଥିଲା, ଏବେ ଦଳର କିଛି ନେତା ଅଲଗା ଅଲଗା ମେଳି କରୁଛନ୍ତି। ଏଥିରେ ବିବ୍ରତ ହୋଇ ଦଳର ମୁଖିଆ ନବୀନ ଶେଷରେ ନିଜେ ଦଳକୁ ଏକଜୁଟ କରିବାକୁ ଅଣ୍ଟା ଭିଡିଛନ୍ତି। କିଛିଦିନ ତଳେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ କଟକରେ ଏକାଠି ହୋଇଥିଲେ ଦଳର ଅନେକ ଯୁବ ନେତା। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ନବୀନ।
ସୂଚନା ଅନୁଯାୟୀ ନବୀନ ବିଜେଡିର ଜଣେ ଯୁବ ନେତାଙ୍କ ପାଖକୁ ଫୋନ୍ ସିଧା ପ୍ରଶ୍ନ କରିଥିଲେ, ”ଆପଣମାନେ କଟକରେ କ’ଣ ସବୁ ଏକାଠି ହୋଇଥିଲେ ? କ’ଣ ଚାଲିଥିଲା ସେଠି ? ଯୁବ ନେତାଙ୍କ ଉତ୍ତର, ସାର୍, ସେଦିନ ପ୍ରୋଗ୍ରାମ ଥିଲା। ମାନ୍ୟବର ସାଂସଦ ଦେବାଶିଷ ସାମନ୍ତରାୟ ତାଙ୍କ ଘରକୁ ଡିନର୍ ପାଇଁ ଡାକିଥିଲେ। ପୁଣି ନବୀନଙ୍କ ପ୍ରଶ୍ନ ଥିଲା, ଗଣମାଧ୍ୟମରେ ଏହାକୁ ନେଇ ସବୁ ନେଗେଟିଭ୍ ଖବର ଆସୁଛି। ଏସବୁ ପୁଣି କ’ଣ ? ଯୁବ ନେତାଙ୍କ ଉତ୍ତର, ସେମିତି କିଛି ହେଉ ନଥିଲା ସାର୍। ଏକାଠି ବସିଥିବାରୁ ମିଡିଆ କ’ଣ ଦେଖାଇଥିବ। ନବୀନଙ୍କ ପୁଣି ପ୍ରଶ୍ନ, ଆଣ୍ଟି ପାର୍ଟି ଆକ୍ଟିଭିଟି ନେଇ ମିଡିଆରେ କୁହାଯାଉଛି। ଏହା ଦଳ ପାଇଁ କ୍ଷତିକାରକ ହେବା ଆପଣମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଧ୍ୟାନ ଦିଅନ୍ତୁ। ଅଧିକ ସଦସ୍ୟ ବଢ଼ାଇ ସାଂଗଠନିକ କାମ କରନ୍ତୁ।କଟକ-ଭୁବନେଶ୍ଵରରେ ଏମିତି ମେଳି କରିବା ଦରକାର ନାହିଁ। ଯୁବ ନେତା କହିଲେ, ନା ସାର୍। ଆଣ୍ଟି ପାର୍ଟି ଆକ୍ଟିଭିଟି କିଛି ହେଉନି। ଏହା ପରେ ନବୀନ ‘ଓକେ’ କହି ଫୋନ୍ କାଟି ଦେଇଥିଲେ।”
ନବୀନ ଓ ଯୁବ ନେତାଙ୍କ ମଧ୍ୟରେ ହିନ୍ଦୀରେ ହୋଇଥିବା କଥୋକପଥନ ଏମିତି ହିଁ ଥିଲା। ଜଣେ ନୁହେଁ, ୩/୪ ଜଣ ନେତାଙ୍କୁ ଫୋନ୍ କରି ଏମିତି ପଚାରିଥିଲେ ନବୀନ ଆଉ ମେଳି ନକରିବାକୁ ତାଗିଦ୍ କରିଥିଲେ। କିନ୍ତୁ ରୋଚକ ବିଷୟ ହେଉଛି, ନବୀନଙ୍କ ତାଗିଦ୍ ପରେ ଏମାନେ ପୁଣି ଏକାଠି ହୋଇଥିଲେ ।
ନବୀନଙ୍କ କଲ୍ ଓ ନେତାମାନଙ୍କ ସାନି ମେଳିକୁ ନେଇ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଚଳଚଞ୍ଚଳ ହୋଇଛି। ନବୀନ ନିଜ ଆଡୁ କଲ୍ କରିଥିଲେ ନା ତାଙ୍କୁ କଲ୍ କରିବା ପାଇଁ କେହି ପ୍ରବତ୍ତାଇଥିଲେ, ତାହାକୁ ନେଇ ଗୋଟିଏ ବର୍ଗ ଖୋଳତାଡ଼ ଆରମ୍ଭ କରିଛନ୍ତି। ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଜେଡିର ପରିଚାଳନା ଧାରା ଠିକ୍ ରାସ୍ତାରେ ଯାଉନାହିଁ ଏବଂ ଦଳରେ ଭବିଷ୍ୟତ ଠିକ୍ ଲାଗୁ ନଥିବାରୁ ନେତାମାନେ କେହି କାହାକୁ ମାନିବା ସ୍ଥିତିରେ ଆ ଆଉ ନାହାନ୍ତି ।