ମୁକ୍ତିଲାଭ କଲା ଥ୍ରୀଲର ସସପେନ୍ସ ଭରା ଓଡ଼ିଆ ଚଳଚ୍ଚିତ୍ର “ଆଞ୍ଜେଲ”

ଶୁଭମ ସିନେ ପ୍ରଡ଼କ୍ସନର ପ୍ରଥମ ଅବଦାନ "ଆଞ୍ଜେଲ"। ଯାହାକି ମୁକ୍ତିଲାଭ କରୁ କରୁ ଦର୍ଶକଙ୍କ ପ୍ରଶଂସା ସାଉଁଟିଛି। ହାଉସଫୁଲ ହୋଇଛି ହଲ୍। ଏହି ଥ୍ରୀଲର ଭରା ସସପେନ୍ସ ମୁଭିକୁ ପ୍ରଶଂସା କରିଛନ୍ତି ବଲିଉଡ଼ର ବହୁ ଅଭିଜ୍ଞ ଦର୍ଶକ ତଥା ଟେକ୍ନିସିଆନ।

ଭୁବନେଶ୍ୱର: ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଡିମାଣ୍ଡ ଥ୍ରୀଲର ମୁଭି। ଆଉ ଦର୍ଶକଙ୍କ ଡିମାଣ୍ଡରେ ନିର୍ମାଣ ହୋଇଛି ସସ୍ପେନ୍ସ ଭରା ଥ୍ରୀଲର ନୂଆ ଓଡ଼ିଆ ଚଳଚ୍ଚିତ୍ର “ଆଞ୍ଜେଲ”।

ଶୁଭମ ସିନେ ପ୍ରଡ଼କ୍ସନର ପ୍ରଥମ ଅବଦାନରେ ତଥା ଶ୍ରୀମତୀ ସଂଘମିତ୍ରା ବେହେରାଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର “ଆଞ୍ଜେଲ” ୨୫ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିଛି। ବିଶେଷ କରି ଛୋଟ ପିଲାଙ୍କ ଉପରେ ଆଧାରିତ ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ପ୍ରେକ୍ଷାଳୟ ମୁହାଁ ହୋଇଛନ୍ତି।

ଓଡ଼ିଆ ଥ୍ରୀଲର ମୁଭି: ଦେଖିବାକୁ ଗଲେ ଥ୍ରୀଲର ଚଳଚ୍ଚିତ୍ରର ଅଧିକ ଚାହିଦା ରହିଥାଏ। ତେଣୁ ଓଡ଼ିଆରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ଆଞ୍ଜେଲ”କୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି। ଜିତେନ୍ଦ୍ରୀୟ ପ୍ରଧାନଙ୍କ କାହାଣୀ, ସଂଳାପ ସହିତ ନିର୍ଦ୍ଦେଶନାକୁ ଦର୍ଶକ ଢ଼େର ପ୍ରଶଂସା ମଧ୍ୟ କରୁଛନ୍ତି।

ସ୍ଵାତି କଂପ୍ଲେକ୍ସରେ ପ୍ରିମିୟର ଶୋ’ ଅବସରରେ ଆଞ୍ଜେଲର ସମସ୍ତ କଳାକାର, ଟେକ୍ନିସିଆନଙ୍କ ସମେତ ଓଲିଉଡ଼ର ଅନେକ ବରିଷ୍ଠ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ତଥା ସିନେ ସମୀକ୍ଷକ ଫିଲ୍ମ ଦେଖିଥିଲେ।

ଚଳଚ୍ଚିତ୍ରର କାହାଣୀ: ଜଣେ ସାହସୀ ପୋଲିସ ଅଧିକାରୀଙ୍କ ବାସ ଭବନରୁ ତାଙ୍କ ୮ ବର୍ଷର ଝିଅକୁ ଅପହରଣ ହେବା ପରେ ବିଭାଗର ଖ୍ୟାତିକୁ ବଞ୍ଚାଇରଖିବା ପାଇଁ ୨୪ଘଣ୍ଟା ମଧ୍ୟରେ ମାଷ୍ଟରମାଇଣ୍ଡକୁ ଧରିବା ପୋଲିସ ବିଭାଗ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଯାଇଛି।

କିଏ କରିଛି ଏ ଅପହରଣ ଏବଂ କାହିଁକି କରିଛି ? ପୋଲିସ ମାଷ୍ଟରମାଇଣ୍ଡକୁ ଧରି ପାରିବେ ତ ? ଏହା ରହିଛି ଏହି ସସପେନ୍ସ ଭରା ଥ୍ରୀଲର ମୁଭିର କାହାଣୀ।

କେଉଁମାନେ କରିଛନ୍ତି ଅଭିନୟ: ଆକ୍ସନ୍ ଭରା ଓଡିଆ ସିନେମା “ଆଞ୍ଜେଲ”ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ନାୟକ ପାର୍ଥସାରଥୀ ରାୟ, ନାୟିକା କାଭ୍ୟା କିରଣ ଏବଂ ପ୍ରସନଜିତ ମହାପାତ୍ର।

ସେହିପରି ଅନ୍ୟାନ୍ୟ ଭୂମିକାରେ ଅମିତାଭ ପାତ୍ର, ଜିତେନ୍ଦ୍ରୀୟ ପ୍ରଧାନ, ସୃଜନ, ସୂର୍ଯ୍ୟକାନ୍ତ ଦଳେଇ, ଟୁକୁନ ଭଳି ଅନେକ କଳାକାର ଅଭିନୟ କରିଛନ୍ତି। ହେଲେ ସବୁଠୁ ଅଧିକ ଫୋକସରେ ରହିଛନ୍ତି ଆଞ୍ଜେଲ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାର ସାଇ ତ୍ରିଷ୍ଣା।

ସଙ୍ଗୀତ ନିର୍ଦ୍ଦେଶକ: ସେହିପରି ସଙ୍ଗୀତକୁ ଅତି ହୃଦୟସ୍ପର୍ଶୀ କରିବାରେ ବା ପ୍ରଚ୍ଛଦପଟରେ ରହି ନିର୍ଦ୍ଦେଶନା ଦେଇଛନ୍ତି ଅଶେଷ ଦାସ। ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱ ବହନ କରିଛନ୍ତି ମିଡ଼ିଆ ପ୍ଲାନରର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ।

ହେଲେ ସବୁଠୁ ଖୁସିର କଥା ଏହାକି ଏହି ଥ୍ରୀଲର ଭରା ସସପେନ୍ସ ମୁଭିକୁ ପ୍ରଶଂସା କରିଛନ୍ତି ବଲିଉଡ଼ର ବହୁ ଅଭିଜ୍ଞ ଦର୍ଶକ ତଥା ଟେକ୍ନିସିଆନ। ଏମିତି ମୁଭି ଦର୍ଶକଙ୍କୁ ଭେଟି ଦେବା ଦରକାର ବୋଲି ସେ କହିଛନ୍ତି।