ଆଜି ହେବ ରଥକାଠ ଅନୁକୂଳ ପୂଜା, ରାଜନଅର ପକ୍ଷରୁ ବ୍ରାହ୍ମଣମାନେ କରିବେ ପୂଜାର୍ଚ୍ଚନା
ଶ୍ରୀମନ୍ଦିରରେ ମା' ସରସ୍ୱତୀଙ୍କ ପୂଜା କାର୍ଯ୍ୟ କରିସାରିବା ପରେ ରଥକାଠ ପୂଜା ଆରମ୍ଭ କରାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟ ବାହାରେ ୩ଟି ଧଉରା କାଠକୁ ରଖାଯାଇ ପ୍ରଥମେ ଅନୁକୂଳ କରାଯିବାର ବିଧି ରହିଛି।
ପୂରୀ: ଆଜି ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ଗାଁଠୁ ସହର। ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ହେଉ ବା କାର୍ଯ୍ୟାନୁଷ୍ଠାନ ସବୁଠି ମାଙ୍କ ଆବାହନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି।
ଆଉ ସେପଟେ ଆଜି ଶ୍ରୀପଞ୍ଚମୀ ଅବସରରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥକାଠ ଅନୁକୂଳ ହେବାକୁ ଯାଉଛି। ତିନି ଭାଇ ଭଉଣୀଙ୍କ ରଥ ନିର୍ମାଣ ପାଇଁ ତିନିଖଣ୍ଡ ଧଉରା କାଠକୁ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ପୂଜା କରିବାର ବିଧି ରହିଛି।
କିପରି ହୁଏ ପୂଜାର୍ଚ୍ଚନା: ପରମ୍ପରା ଅନୁସାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଚୂନ ପାଣି ଢ଼ଳାଯିବା ପରେ କାଠକୁ ରଖାଯାଏ। ପରେ ରାଜନଅର ପକ୍ଷରୁ ବ୍ରାହ୍ମଣମାନେ ଆସି ପୂଜାର୍ଚ୍ଚନା କରନ୍ତି।
ପ୍ରଥମେ ରାଜ ପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ୱତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କରାଯିବା ପରେ ରଥ ଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣମାନେ ବନ୍ଦାପନା ସହିତ ପୂଜା କରନ୍ତି। ସେହିପରି ଆସନ୍ତା ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି।
ଶ୍ରୀପଞ୍ଚମିରେ କାହିଁକି ହୁଏ ଅନୁକୂଳ: ପରମ୍ପରା ଅନୁଯାୟୀ, ବସନ୍ତ ପଞ୍ଚମୀ ତିଥିରେ ରଥକାଠ ଅନୁକୂଳ ଏବଂ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବାର ବିଧି ରହିଛି।
କାହିଁ କେଉଁ କାଳରୁ ଆମ ପୂର୍ବପୁରୁଷ ମାନେ ଏହି ବିଧି କରିଆସୁଛନ୍ତି। ମନାଯାଏ ବସନ୍ତ ପଞ୍ଚମୀ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ତେଣୁ ପ୍ରତିବର୍ଷ ସରସ୍ୱତୀ ପୂଜା ଦିନ ହିଁ ମହାବାହୁଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ କରାଯାଏ।