ଖଣ୍ଡଗିରିରେ ଶୁଭିଲାଣି ସାଧୁସନ୍ଥଙ୍କ ମନ୍ତ୍ର ଧ୍ୱନି, ଜମିଲାଣି ଦୋକାନ ବଜାରର ଆସର
ରାତି ପାହିଲେ ଖଣ୍ଡଗିରି ମେଳା। ସାଧୁସନ୍ଥଙ୍କ ଲାଗିଲାଣି ଭିଡ଼। ପ୍ରସ୍ତୁତି ଜୋରସୋର। ଦୁଲୁକିବ ଯାତ୍ରା ମଞ୍ଚ।
ଭୁବନେଶ୍ୱର: ରାତି ପାହିଲେ ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ଆରମ୍ଭ ହେବ କୁମ୍ଭମେଳା। ଯାହାକି ଖଣ୍ଡଗିରି ମେଳା ନାମରେ ପରିଚିତ। ଆସନ୍ତା କାଲି ଅର୍ଥାତ୍ ଫେବୃଆରୀ ୪ ତାରିଖରୁ ଖଣ୍ଡଗିରି ମେଳା ପାଇଁ ଲାଗିବ ଶ୍ରଦ୍ଧାଳୁଙ୍କ ଗହଳି।
ଆଉ ସେଥିପାଇଁ ଏବେଠୁ ଖଣ୍ଡଗିରି ମୁହାଁ ହେଲେଣି ସାଧୁସନ୍ଥ। ଖଣ୍ଡଗିରି ଗୁମ୍ଭାରୁ ଶୁଭିଲାଣି ବାବାଙ୍କ ମନ୍ତ୍ରପାଠ। ଆଉ କେଇ ଘଣ୍ଟା ପରେ ଲାଗିବ ଲୋକଙ୍କ ଗହଳି। ଆଉ ବିଭିନ୍ନ ବାବାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋର ଚାଲିଛି।
ଖଣ୍ଡଗିରି ମେଳା: ଆଉ କିଛି ସମୟ ପରେ ଯେହେତୁ ଲୋକଙ୍କ ଗହଳି ବଢିବ। ସେଥିପାଇଁ ଏବେଠୁ ଯଜ୍ଞକୁଣ୍ଡ ପ୍ରସ୍ତୁତି କରିବାରେ ଲାଗି ପଡିଛନ୍ତି ସାଧୁସନ୍ଥ। ଆଉ ବସନ୍ତ ପଞ୍ଚମୀ ଆବସରରୁ କିଛି ସାଧୁସନ୍ଥ ମଧ୍ୟ ପୂଜା ପାଠ ଆରମ୍ଭ କରିଛନ୍ତି।
ଦୋକାନ ବଜାର: ଯେହେତୁ ଏହି ପ୍ରସିଦ୍ଧ ମେଳା ୯ ଦିନ ଧରି ଅନୁଷ୍ଠିତ ହୁଏ। ସେଥିପାଇଁ ଖଚାଖଚ ଭିଡ଼ ମଧ୍ୟ ହୁଏ। କାହିଁ କେଉଁ ଆବାହମାନ କାଳରୁ ଏହି ମେଳାର ଆୟୋଜନ କରାଯାଉଛି।
ଯେହେତୁ ଏହା ଏକ ପ୍ରସିଦ୍ଧ ମେଳା ଏଠାରେ ଭଳିକି ଭଳି ଦୋକାଲ ମଧ୍ୟ ବସେ। ଖାଇବା ଦୋକାନଠୁ ଆରମ୍ଭ କରି ଖେଳନା ଦୋକାନ ସବୁଠି ଲୋକଙ୍କ ଭିଡ଼ ଜମେ। ଆଉ ଯେତେବେଳେ ଏହି ମେଳା ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ଏବେଠୁ ଖୋଲିଲାଣି ଭଳିକି ଭଳି ଦୋକାନ ବଜାର।
ଡାଇଲଗରେ କମ୍ପିବ ଖଣ୍ଡଗିରି: ସେପଟେ ପ୍ରତିବର୍ଷ ପରି ଚଳିତ ବର୍ଷବି ଯାତ୍ରା ଡାଇଲଗରେ ଫାଟିପଡିବ ଖଣ୍ଡଗିରି ଯାତ୍ରା ପଡିଆ। ୪ ତାରିଖରୁ ଆରମ୍ଭ ହେଉଥିବା ଏହି ମେଳାରେ ୬ ତାରିଖରୁ ମଞ୍ଚସ୍ତ ହେବ ଭିନ୍ନ ଭିନ୍ ନାଟକ।
୧୭ ତାରିଖ ଯାଏ ପ୍ରାୟ ୧୫ ଗୋଟି ନାମୀଦାମୀ ଯାତ୍ରା ପାର୍ଟି ନାଟକ ମଞ୍ଚସ୍ଥ କରିବେ। ଏଥିପାଇଁ କମିଶନରେଟ ପୋଲିସ ଓ ବିଏମସି ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି।
ସାଧୁସନ୍ଥଙ୍କ ଲାଗି ସ୍ୱତନ୍ତ୍ର ଟେଣ୍ଡ: ସେପଟେ ଖଣ୍ଡଗିରି ଯାତ୍ରାକୁ ଆହୁରି ବାବାଙ୍କ ଆଗମନ ହେବାକୁ ଥିବା ବେଳେ ସେମାନଙଅକ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।ସାଧୁସନ୍ଥଙ୍କ ଲାଗି ସ୍ୱତନ୍ତ୍ର ଟେଣ୍ଟ ବ୍ୟବସ୍ଥା ହୋଇଥିବା ବେଳେ, ପାନୀୟ ଜଳ, ଶୌଚାଳୟ ଏବଂ ଆଲୋକୀକରଣ ବ୍ୟବସ୍ଥା ମଧ୍ୟ ହୋଇଛି।