ନିରଞ୍ଜନଙ୍କ ଘରୁ ଚୋରି ଘଟଣା; ୩ ଜଣ କର୍ମଚାରୀଙ୍କ ପଲିଗ୍ରାଫ୍‌ ଟେଷ୍ଟ କଲା ପୋଲିସ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନିରଞ୍ଜନଙ୍କ ଘରୁ ଚୋରି ଘଟଣା; କର୍ମଚାରୀଙ୍କ ହେଲା ପଲିଗ୍ରାଫ ଟେଷ୍ଟ। ୩ ଜଣ କର୍ମଚାରୀ ଓ ଡ୍ରାଇଭରଙ୍କ ପଲିଗ୍ରାଫ୍‌ ଟେଷ୍ଟ କଲା ପୋଲିସ।

ଘଟଣାରେ ୨ଟି ରାଜ୍ୟରେ ଚଢ଼ାଉ ଜାରି ରଖିଛି ସ୍ପେଶାଲ୍‌ ଟିମ୍‌। ଚୋରି ଦିନ ଲୁଟେରା ଅଟୋରେ ଆସିଥିବା ଜାଣିବାକୁ ପାଇଛି ପୋଲିସ। ଲୁଟେରା ସହ କର୍ମଚାରୀଙ୍କ ସମ୍ପର୍କ ଥିବା ସନ୍ଦେହ କରୁଛି ପୋଲିସ।

ପ୍ରଥମ ଚୋରି: ଗତ ୨୬ ତାରିଖରେ ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ଏନ୍‌-୨୯ ଘରେ ପଶି କଳାକନା ବୁଲାଇଥିଲା ଚୋର। ଉପର ମହଲରେ ରହୁଥିବା ପୁଅ ଓ ବୋହୂଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଚୋରି ହୋଇଥିଲା।

ସିସିଟିଭି ଫୁଟେଜରେ ଦର୍ଶାଯାଇଛି ଚୋର କିପରି ପାଚେରୀ ଡେଇଁ ଘରେ ପଶିଥିଲା, ଲୁଟ ପରେ ଝରକା ପଟେ ଚମ୍ପଟ ମାରିଥିଲା। କିନ୍ତୁ ପୋଲିସ ତାକୁ ଧରିବାରେ ବିଫଳ ହୋଇଥିଲା।

ଦ୍ୱିତୀୟ ଚୋରି: ସୋମବାର ବିଳମ୍ବିତ ରାତି ପ୍ରାୟ ୧୧ଟା ୩୫ରେ ନିରଞ୍ଜନଙ୍କ ନୟାପଲ୍ଲୀ IRC ଭିଲେଜସ୍ଥିତ ଏନ/୨୫ ଘର ଝରକା ଭାଙ୍ଗି ପଶିବାକୁ ଉଦ୍ୟମ କରୁଥିବା ସମୟରେ ଘରର କର୍ମଚାରୀ ଚୋରକୁ କାବୁ କରି ନେଇଥିଲେ। ଏହାପରେ ତାକୁ ପୁଲିସ ଜିମା ଦେଇଥିଲେ।

ତେବେ ପ୍ରଥମ ଚୋର ଏବଂ ସୋମବାର ଧରା ପଡ଼ିଥିବା ଚୋର ଉଭୟ ଅଲଗା ବ୍ୟକ୍ତି ବୋଲି ଜଣାପଡ଼ିଥିଲା।

କଣ କହିଥିଲେ ଡିସିପି: ଏହି ଘଟଣା ସମ୍ପର୍କରେ ସୋମବାର ଡିସିପି ପିନାକ ମିଶ୍ର କହିଥିଲେ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଟିମ୍‌ ଚେଷ୍ଟା କରୁଛନ୍ତି।

କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ଏହି ମାମଲାରେ ଖୁବ୍‌ଶୀଘ୍ର ସଫଳତା ମିଳିବ ବୋଲି ଆଶା ରହିଥିବା କହିଛନ୍ତି ଡିସିପି ।