ଦୁବାଇରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍, କେମିତି ରହିଛି ହେଡ୍ ଟୁ ହେଡ୍ ରେକର୍ଡ?

ମୁମ୍ୱାଇ: ଫେବ୍ରୁଆରି ୧୯ରୁ ଆରମ୍ଭ ହେବ ଚାମ୍ପିୟନ୍ସ ଟ୍ରଫି ୨୦୨୫। ସେପଟେ ଫେବ୍ରୁଆରି ୨୩ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବ।

ସାରା ବିଶ୍ୱର କ୍ରିକେଟପ୍ରେମୀ ମାନେ ଏହି ମ୍ୟାଚକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେଡ ଟୁ ହେଡ ରେକର୍ଡ କ’ଣ ରହିଛି ?

ଚାମ୍ପିୟନ୍ସ ଟ୍ରଫିରେ କେଉଁ ଦଳର ହାତ ଅଧିକ ରହିଛି? ବାସ୍ତବରେ ଚାମ୍ପିୟନ୍ସ ଟ୍ରଫିରେ ଭାରତ ବିପକ୍ଷରେ ପାକିସ୍ତାନର ହାତ ଅଧିକ ରହିଛି। ପରିସଂଖ୍ୟାନ କହୁଛି ଯେ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଓ ପାକିସ୍ତାନ ଏପର୍ଯ୍ୟନ୍ତ ୫ ଥର ମୁହାଁମୁହିଁ ହୋଇଛନ୍ତି।

ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ୩ ଥର ଭାରତକୁ ପରାସ୍ତ କରିଛି। ଇତି ମଧ୍ୟରେ ଭାରତୀୟ ଦଳ ପାକିସ୍ତାନକୁ ମାତ୍ର ୨ ଥର ପରାସ୍ତ କରିବାରେ ସଫଳ ହୋଇଛି। ତେଣୁ ଏହି ପରିସଂଖ୍ୟାନ ପାକିସ୍ତାନ ସପକ୍ଷରେ ରହିଛି।

୨୦୧୩ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରିଥିଲା। ଚାମ୍ପିୟନ୍ସ ଟ୍ରଫିରେ ଭାରତ ପ୍ରଥମ ଥର ପାଇଁ ପାକିସ୍ତାନକୁ ପରାସ୍ତ କରିଥିଲା। ସେହି ଭାରତୀୟ ଦଳର ଅଧିନାୟକ ଥିଲେ ମହେନ୍ଦ୍ର ସିଂହ ଧୋନି।

ଏହାପରେ ୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଓ ପାକିସ୍ତାନ ଦୁଇ ଥର ମୁହାଁମୁହିଁ ହୋଇଥିଲେ। ଗ୍ରୁପ୍ ମ୍ୟାଚ୍ ରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲେ ହେଁ ଶାହଜାଦ ଅହମ୍ମଦଙ୍କ ନେତୃତ୍ବାଧୀନ ପାକିସ୍ତାନ ଦଳ ଫାଇନାଲରେ ଭାରତୀୟ ଦଳକୁ ଶୋଚନୀୟ ପରାଜୟ ଦେଇଥିଲା।

ଅନ୍ୟପକ୍ଷରେ ଦିନିକିଆ ଫର୍ମାଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁହାଁମୁହିଁ ରେକର୍ଡ କୁ ଦେଖିଲେ ଏଠାରେ ମଧ୍ୟ ପାକିସ୍ତାନର ହାତ ଅଧିକ ରହିଛି।

ଦିନିକିଆ ଫର୍ମାଟରେ ଭାରତ ଓ ପାକିସ୍ତାନ ୧୩୫ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ବିପକ୍ଷରେ ପାକିସ୍ତାନ ୭୩ ଥର ଜିତିଥିବା ବେଳେ ଭାରତ ପାକିସ୍ତାନକୁ ୫୭ ଥର ପରାସ୍ତ କରିଛି।

ତେବେ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳର ରେକର୍ଡ ପ୍ରଭାବଶାଳୀ ଥିବା ବେଳେ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନକୁ ଫାଇଦା ମିଳିଛି। ତଥାପି ଏଥର କେଉଁ ଦଳ ଶୀର୍ଷରେ ପହଞ୍ଚିବ ତାହା ଦେଖିବା ଆକର୍ଷଣୀୟ ହେବ।