କାହିଁକି ପରବେଶଙ୍କୁ କରାଗଲାନି ମୁଖ୍ୟମନ୍ତ୍ରୀ, ଏତେ ନାଁ ଥାଉ ଥାଉ ରେଖାଙ୍କୁ କାହିଁକି ବାଛିଲା ବିଜେପି
ରେଖା ମୁଖ୍ୟମନ୍ତ୍ରୀ ହେବା ପରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା। ଯିଏ କେବେ ବି ନିର୍ବାଚନ ଜିତି ନ ଥିଲେ। ପ୍ରଥମ ଥର ପାଇଁ ବିଧାୟିକା ହୋଇଥିଲେ। ସେହିଭଳି ଜଣେ ମହିଳାଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ କଲା ବିଜେପି।
ନୂଆଦିଲ୍ଲୀ: ଆଜି ରାମଲୀଲା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ। ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କଲେ। ଆଉ ପ୍ରଥମ ଥର ପାଇଁ ବିଧାୟିକା ହେଲେ। ଆଉ ଶେଷରେ ପ୍ରଥମ ଥର ପାଇଁ ବି ମୁଖ୍ୟମନ୍ତ୍ରୀ ଆସନରେ ବସିଲେ।
ହେଲେ ଏବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ କି ଦିଲ୍ଲୀ ବିଜେପିର ଏତେ ବଡ ବଡ ଟାଣୁଆ ନେତା ଥାଉ ଥାଉ କାହିଁକି ରେଖା ଗୁପ୍ତାଙ୍କ ଭଳି ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ବାଛିଲା ବିଜେପି। ଏହା ପଛରେ କ’ଣ ରହିଛି ରାଜନୈତିକ କାରଣ?
ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ: ଆଜି ଶପଥ ନେବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ରେଖା ଗୁପ୍ତା। ଏହା ସହ ସେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ମଧ୍ୟ ବନିଛନ୍ତି। ତାଙ୍କ ପୂର୍ବରୁ ସୁଷମା ସ୍ୱରାଜ, ଶିଲା ଦୀକ୍ଷିତ ଓ ଅତିସି ମୁଖ୍ୟମନ୍ତ୍ରୀ ଆସନରେ ବସି ସାରିଛନ୍ତି। ପରେ ଏବେ ରେଖା ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
କାହିଁକି ବଛାଗଲା ମହିଳା ମୁଖ୍ୟମନ୍ତ୍ରୀ: ରେଖା ମୁଖ୍ୟମନ୍ତ୍ରୀ ତ ହୋଇଗଲେ। ହେଲେ ଏବେ ସବୁଠି ଚର୍ଚ୍ଚା ଏତେ ସବୁ ଟାଣୁଣା ନେତା ଥାଉ ଥାଉ କାହିଁକି ରେଖାଙ୍କ ଉପରେ ଭରଷା କଲେ ଶୀର୍ଷ ନେତୃତ୍ୱ। ପ୍ରଥମ ଥର ପାଇଁ ବିଧାୟିକା ଭାବରେ ନିର୍ବାଚିତ ହୋଇଥିବା ରେଖାଙ୍କୁ କାହିଁକି ଦେଲେ ଏତେ ବଡ ଦାୟିତ୍ୱ।
ଟ୍ୟାଗ ଲାଇନ: ଯଦି ଦେଖିବା ଯଦିଓ ରେଖା ପୂର୍ବରୁ କୌଣସି ନିର୍ବାଚନରେ ବିଜୟୀ ହୋଇନଥିଲେ। କିନ୍ତୁ ସେ ଦୀର୍ଘ ବର୍ଷ ହେବ ଦଳର କାମ କରିଆସୁଥିଲେ। ଆଉ ସବୁଠାରୁ ବଡ଼ କଥା ଚଳିତ ନିର୍ବାଚନରେ ତାଙ୍କର ଟ୍ୟାଗ ଲାଇନ୍ ଥିଲା ‘କାମ ହିଁ ପରିଚୟ’।
ବଣିଆ ଭୋଟ ହାତେଇବା: ଏହାଛଡ଼ା ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ଅରବିନ୍ଦ କେଜ୍ରିଓ୍ୱାଲ ଯେଉଁ ସମ୍ପ୍ରଦାୟର ରେଖା ମଧ୍ୟ ସେଇ ସମ୍ପ୍ରଦାୟର। ଅର୍ଥାତ୍ କେଜ୍ରିଓ୍ୱାଲ ଏବଂ ରେଖା ହେଉଛନ୍ତି ବଣିଆ ସମ୍ପ୍ରଦାୟର।
ତେଣୁ ଲୋକଙ୍କ ବିଶ୍ୱାସ ଭାଜନ ହୋଇ ରହିବା ପାଇଁ ବିଜେପିର ଶୀର୍ଷ ନେତୃତ୍ୱ ରେଖାଙ୍କୁ ଦିଲ୍ଲୀର ଦାୟିତ୍ୱ ଦେଇଥିବା କଥା କୁହାଯାଉଛି। ଯାହାଦ୍ୱାରା ବିଜେପିର କୋର୍ ଭୋଟବ୍ୟାଙ୍କ କୁହାଯାଉଥିବା ବଣିଆ ସମାଜ ବି ଦଳ ସହ ରହିବେ।
ମହିଳା ଭୋଟବ୍ୟାଙ୍କ: ଏହାଛଡ଼ା ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ସରକାରରେ ମହିଳାଙ୍କ ଭାଗିଦାରୀ ନେଇ ସ୍ପଷ୍ଟ ସନ୍ଦେଶ ଦେଇଛି ଦଳ। ଦେଶର ୧୩ଟି ରାଜ୍ୟରେ ବିଜେପି କ୍ଷମତାରେ ରହିଥିବା ବେଳେ ଏପର୍ଯ୍ୟନ୍ତ କେଉଁଠି ବି ମହିଳା ମୁଖ୍ୟମନ୍ତ୍ରୀ ନଥିଲେ। ଦିଲ୍ଲୀରେ ରେଖା ଗୁପ୍ତାଙ୍କ ପୂର୍ବରୁ ତିନି ଜଣ ମହିଳା ମୁଖ୍ୟମନ୍ତ୍ରୀ ରହିଥିଲେ। ଏହି ଧାରାକୁ ଆଗକୁ ବଢାଇଛି ବିଜେପି ।
ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରି ନିର୍ବାଚନ ରାଜନୀତିରେ ମହିଳାଙ୍କ ପ୍ରତି ବିଜେପି ପ୍ରାଥମିକତା ଦେଖାଇବାକୁ ଉଦ୍ୟମ କରିଛି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ବିଜେପି ୯ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ସେମାନଙ୍କ ମଧ୍ୟରୁ ୪ଜଣ ଜିତିଛନ୍ତି। ଗତ ନିର୍ବାଚନରେ ଦିଲ୍ଲୀରେ ପୁରୁଷଙ୍କ ତୁଳନାରେ ମହିଳା ଅଧିକ ମତଦାନ ପାଇଛନ୍ତି।
ନିର୍ବିବାଦୀୟ ନେତା: ତେବେ ରେଖା ଗୁପ୍ତା ଦିଲ୍ଲୀ ବିଜେପିର ଜଣେ ନିର୍ବିବାଦୀୟ ନେତ୍ରୀ। ଗତ ୩୦ବର୍ଷ ଧରି ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ସଂପୃକ୍ତ ରହିଛନ୍ତି ରେଖା। ତେଣୁ ଦୀର୍ଘ ବର୍ଷ ଧରି ତୃଣମୂଳସ୍ତରରେ କାମ କରିଥିବା ରେଖାଙ୍କୁ ପୁରସ୍କାର ଦେଇଛି ବିଜେପି ।