ଜେଲରୁ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କଲା ଦୁଷ୍କର୍ମ ଅଭିଯୁକ୍ତ, ଜୀବନରୁ ମାରି ଦେବାକୁ ଦେଲା ଧମକ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ ।

ନୂଆଦିଲ୍ଲୀ: ରାଜସ୍ଥାନର ମୁଖ୍ୟମନ୍ତ୍ରୀ  ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ । ଦୌସାର ସାଲାୱାସ୍ ଜେଲର ଜଣେ କଏଦୀ ଶୁକ୍ରବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି ।

ପୋଲିସ ଅନୁଯାୟୀ, ବ୍ୟକ୍ତି ଜଣକ ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୨୯ ବର୍ଷୀୟ ରିଙ୍କୁ ଭାବରେ ଚିହ୍ନଟ ହୋଇଛନ୍ତି । ପୋଲିସ ପକ୍ଷରୁ କୁହାଯାଇଛି ଯେ, ରିଙ୍କୁ ଜୟପୁର ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା ।

ମୋବାଇଲ୍ ଫୋନ୍‌ର ଲୋକେସନ୍ ଟ୍ରାକ୍ କରିବା ପରେ ପୋଲିସ କହିଛି ଯେ କଲ୍ କରିବା ପାଇଁ ବ୍ୟବହୃତ ମୋବାଇଲ୍ ଫୋନ୍ ସାଲାୱାସ୍ ଜେଲ୍‌ର ଥିଲା। କଲ୍ ପରେ, ଭୋର ୩ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜେଲ୍‌ରେ ତଲାସି କରାଯାଇ ଫୋନ ଜବତ କରାଯାଇଥିଲା ।

ପୋଲିସ ଏହି ଘଟଣାର ତଦନ୍ତ କରୁଛି । ରାଜ୍ୟ ଗୃହମନ୍ତ୍ରୀ ଜବାହାର ସିଂହ ବେଧାମ କହିଛନ୍ତି ଯେ, ଜେଲ୍‌ର ମହାନିରୀକ୍ଷକ ବିକ୍ରମ ସିଂହଙ୍କୁ ମାମଲାର ତଦନ୍ତ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ତେବେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ତେବେ ଏହି ହତ୍ୟା ଧମକ ପ୍ରଥମ ଥର ନୁହେଁ । ବାରମ୍ବାର ଧମକ ମିଳୁଥିବା ବେଳେ ପ୍ରଶାସନର ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି ।