ଆରମ୍ଭ ହେଲା PM ଇଣ୍ଟର୍ନସିପ୍ ସ୍କିମ୍ ପାଇଁ ପଞ୍ଜୀକରଣ, ଲକ୍ଷେ ପ୍ରାର୍ଥୀଙ୍କୁ ମିଳିବ ସୁଯୋଗ
ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା 2025 ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ନୂଆଦିଲ୍ଲୀ: ଇଣ୍ଟର୍ନସିପ୍ ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ଏକ ବଡ଼ ଖବର । ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା 2024-25 ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆବେଦନ ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି । ଯଦି ପ୍ରଥମ ପର୍ଯ୍ୟାୟରେ ଆବେଦନ କରିବାରୁ ବଞ୍ଚିତ ହୋଇଥିବେ ତେବେ ବର୍ତ୍ତମାନ ଆବେଦନ କରିବାର ସୁଯୋଗ ପାଇବେ ।
ଆଗ୍ରହୀ ପ୍ରାର୍ଥୀମାନେ ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା ଅଧୀନରେ ଆବେଦନ କରିବା ପାଇଁ ସରକାରୀ ୱେବସାଇଟ୍ pminternship.mca.gov.in ଭିଜିଟ୍ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୨ ମାର୍ଚ୍ଚ ୨୦୨୫ ରଖାଯାଇଛି । ଏଥର ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ପ୍ରାର୍ଥୀଙ୍କୁ ଚୟନ କରାଯିବ ।
ଯୋଗ୍ୟତା- ୨୧ ରୁ ୨୪ ବର୍ଷ ବୟସର ଭାରତୀୟ ଯୁବକ ଯେଉଁମାନେ ପୂର୍ଣ୍ଣକାଳୀନ ନିଯୁକ୍ତି କିମ୍ବା ଶିକ୍ଷା କ୍ଷେତ୍ରରେ ନିୟୋଜିତ ନୁହଁନ୍ତି, ସେମାନେ ଆବେଦନ କରିବାକୁ ଯୋଗ୍ୟ ହେବେ । ଅନଲାଇନ୍ କିମ୍ବା ଡିସେଣ୍ଟ ଲର୍ଣ୍ଣିଂ ମାଧ୍ୟମରେ ଅଧ୍ୟୟନ କରୁଥିବା ଯୁବକମାନେ ମଧ୍ୟ ଏହି ଯୋଜନା ପାଇଁ ଯୋଗ୍ୟ ହେବେ ।
ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବା ଉଚିତ୍ ନୁହେଁ । ଯଦି ପ୍ରାର୍ଥୀଙ୍କ ପରିବାରର କୌଣସି ସଦସ୍ୟ ସ୍ଥାୟୀ ସରକାରୀ ଚାକିରିରେ ଅଛନ୍ତି, ତେବେ ସେ ଆବେଦନ କରିବାକୁ ଯୋଗ୍ୟ ହେବେ ନାହିଁ ।
IIT, IIM, IISER, NID, IIIT, NLU ଭଳି ଶ୍ରେଷ୍ଠ ପ୍ରତିଷ୍ଠାନରୁ ସ୍ନାତକ ହାସଲ କରିଥିବା ଯୁବକମାନେ ଏହି ଯୋଜନାରେ ଆବେଦନ କରିପାରିବେ ନାହିଁ । ସିଏ, ସିଏମଏ, ସିଏସ, ଏମବିବିଏସ, ବିଡିଏସ, ଏମବିଏ, ମାଷ୍ଟର ଡିଗ୍ରୀ କିମ୍ବା ଉଚ୍ଚଶିକ୍ଷା ପାଇଥିବା ଯୁବକମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ ନାହିଁ । ସରକାରୀ ଯୋଜନାରେ ଦକ୍ଷତା ତାଲିମ ନେଉଥିବା ଯୁବକମାନେ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ ନାହିଁ ।
ଏହି ଯୋଜନା ଅଧୀନରେ, ମନୋନୀତ ପ୍ରାର୍ଥୀମାନଙ୍କୁ ପ୍ରତି ମାସରେ 5,000 ଟଙ୍କା ମିଳିବ । ଯାହା ମଧ୍ୟରୁ 4,500 ଟଙ୍କା କେନ୍ଦ୍ର ସରକାର ଏବଂ 500 ଟଙ୍କା CSR ପାଣ୍ଠିରୁ ଯୋଗାଇ ଦିଆଯିବ।