ଅଦ୍ଭୁତ ଘଟଣା, ପିଲା ଜନ୍ମ ପରେ ସ୍ମୃତିଶକ୍ତି ହରାଇଲେ ୫ ମହିଳା !

ପ୍ରସବ ପରେ ସ୍ମୃତିଶକ୍ତି ହରାଇଲେ ମା'। ତା ପୁଣି ଜଣେ କି ଦୁଇ ଜଣ ନୁହେଁ। ଏକାଥରେ ୫ ଜଣ ମହିଳା। ଗୋଟିଏ ହସ୍ପିଟାଲରେ ଏକାଥରେ ପିଲା ଜନ୍ମ କଲେ। ଆଉ ଏକା ସାଙ୍ଗରେ ନିଜର ସ୍ମୃତିଶକ୍ତି ହରାଇଲେ। 

ମଧ୍ୟପ୍ରଦେଶ: ପ୍ରସବ ପରେ ସ୍ମୃତିଶକ୍ତି ହରାଇଲେ ମା’। ତା ପୁଣି ଜଣେ କି ଦୁଇ ଜଣ ନୁହେଁ। ଏକାଥରେ ୫ ଜଣ ମହିଳା। ଗୋଟିଏ ହସ୍ପିଟାଲରେ ଏକାଥରେ ପିଲା ଜନ୍ମ କଲେ। ଆଉ ଏକା ସାଙ୍ଗରେ ନିଜର ସ୍ମୃତିଶକ୍ତି ହରାଇଲେ।

ଏହି ଘଟଣାଟି ହୁଏତ ଶୁଣିବା ପରେ ଆପଣମାନେ ପ୍ରଥମେ ଟିକେ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହି ଘଟଣାଟି ସମ୍ପୂର୍ଣ୍ଣ ସତ। ୫ ଜଣ ମହିଳା ଏକ ବଡ଼ ସରକାରୀ ହସ୍ପିଟାଲରେ ପିଲା ଜନ୍ମ କରିଥିଲେ। ହେଲେ ପିଲା ଜନ୍ମ ହେବା ପରେ ସେମାନଙ୍କର ସ୍ମୃତିଶକ୍ତି ଚାଲିଗଲା। ଯଦିଓ ସମସ୍ତ ଜନନୀଙ୍କର ସିଜରିଆନ ହୋଇଥିଲା। କିନ୍ତୁ ସ୍ମୃତିଶକ୍ତି ହ୍ରାସ ଘଟିବା ଡାକ୍ତରଙ୍କ ଚିନ୍ତା ବଢାଇଦେଲା।

ସ୍ମୃତିଶକ୍ତି ହ୍ରାସ: ତେବେ ଏପରି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରେୱାସ୍ଥିତ ସରକାରୀ ଗାନ୍ଧୀ ମେମୋରିଆଲ୍ ହସ୍ପିଟାଲରେ। ସୂଚନାନୁସାରେ, ୫ ଜଣ ମହିଳା ପ୍ରସବ ପାଇଁ ଏହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଡାକ୍ତର ସିଜରିଙ୍ଗ କରି ୫ ଜଣଙ୍କର ପ୍ରସବ କରାଇଲେ। ହେଲେ ଆଶ୍ଚର୍ଯ୍ୟକର ଘଟଣା ସମସ୍ତଙ୍କର ମେମୋରି ଲସ୍ ହୋଇଗଲା। ଏବଂ ଯନ୍ତ୍ରଣାରେ ଚିତ୍କାର କରିବାକୁ ଲାଗିଲେ। ଯେପରି ସେମାନେ ପ୍ରି- କୋମା କିମ୍ୱା କୋମାକୁ ଚାଲି ନଯାଆନ୍ତି। ସେଥିପାଇଁ ସମସ୍ତ ମହିଳାଙ୍କୁ ICUରେ ଭର୍ତ୍ତି କରାଯାଇଥିଲା।

କାହିଁକି ହେଲା ସ୍ମୃତିଶକ୍ତି ହ୍ରାସ: ତେବେ ଷ୍ଟେଟସମ୍ୟାନ୍ ରିପୋର୍ଟ ଅନୁଯାୟୀ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଓ ଡାକ୍ତର ରାହୁଲ ମିଶ୍ରଙ୍କ କହିବା କଥା, କାହିଁକି ମହିଳାମାନଙ୍କ ସ୍ମୃତିଶକ୍ତି ହ୍ରାସ ହେଲା ତାର ତଦନ୍ତ କରାଯାଉଛି।

ସିଜରିଆନ୍ ସମୟରେ ବ୍ୟବହୃତ ଔଷଧଗୁଡ଼ିକର ମଧ୍ୟ ଯାଞ୍ଚ କରାଯାଉଛି। ଯେଉଁଥିରେ ଆନାସ୍ଥେସିଆର ମାତ୍ରା ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଡାକ୍ତରଙ୍କ ସନ୍ଦେହ ଏପରି ପ୍ରତିକ୍ରିୟା ପ୍ରକାଶ ପାଇବାର କାରଣ ‘ବୁପିଭାକେନ୍’ ଔଷଧ ହୋଇଥାଇପାରେ।

ଯେଉଁ ଔଷଧ ମେରୁଦଣ୍ଡରେ ଆନାସ୍ଥେସିଆରେ ବ୍ୟବହୃତ ହୁଏ। ହସ୍ପିଟାଲ ସେଗୁଡ଼ିକର ବ୍ୟବହାର ଏହି ଘଟଣାପରେ ବନ୍ଦ କରିଦେଇଛି ଏବଂ ନମୁନାଗୁଡ଼ିକୁ ଫାର୍ମାକୋଭିଜିଲାନ୍ସ ପାଇଁ ପଠାଯାଇଛି।

ପୂର୍ବରୁ ମଧ୍ୟ ଏପରି ଘଟିଥିଲା: ଆପଣମାନେ ସାଧାରଣତଃ ଜାଣିଥିବେ ସିଜରିଆନ ପରେ ଏପରି ଘଟଣା ଘଟିବା ସାଧାରଣ କଥା। ଯଦିଓ ସମସ୍ତଙ୍କ କ୍ଷେତ୍ରରେ ଏପରି ହୁଏନାହିଁ, କିନ୍ତୁ ଲୋକଙ୍କ କ୍ଷେତ୍ରରେ ଏପରି ପ୍ରତିକ୍ରିୟା ଦେଖାଦିଏ।

ଠିକ୍ ସେହିପରି ଡାକ୍ତରଙ୍କ କହିବା କଥା,  କିଛି ଦିନ ତଳେ ଜବଲପୁର ସମେତ ଅନ୍ୟାନ୍ୟ ସ୍ଥାନରୁ ‘ବୁପିଭାକେନ୍’ ସମ୍ପର୍କରେ ସମାନ ସ୍ମୃତିହ୍ରାସ ଅଭିଯୋଗ ରିପୋର୍ଟ କରାଯାଇଥିଲା। ଆଉ ଏବେ ସରକାରୀ ଗାନ୍ଧୀ ମେମୋରିଆଲ୍ ହସ୍ପିଟାଲରେ ଏପରି ଘଟଣା ଦେଖିବାକୁ ମିଳିଛି।

ଏସମସ୍ତ ମହିଳାଙ୍କ ବୟସ ୨୫ ରୁ ୩୫ ବର୍ଷ ମଧ୍ୟରେ। ସମସ୍ତେ ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଚାରିଜଣ ମହିଳାଙ୍କୁ ପୁଣି ଥରେ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ହେଲେ ଏବେବି ଜଣେ ICUରେ ଅଛନ୍ତି।