ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ପ୍ରତି ପଞ୍ଚାୟତରେ ଖୋଲିବ RI ଅଫିସ, କାର୍ଯ୍ୟାଳୟରେ ୮ ଘଣ୍ଟାରୁ କମ୍ କାମ କଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ମଙ୍ଗଳବାର ବିଧାନସଭାରେ ବିରୋଧୀଙ୍କ ବିନା ଆଲୋଚନାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୩୭୮ କୋଟି ୨୭ଲକ୍ଷ ୯୮ହଜାର ଟଙ୍କାର ବ୍ୟୟ ବରାଦ ଉପରେ ଆଲୋଚନା ହେବା ସହ ଏହାକୁ ପାରିତ କରାଯାଇଛି। ଶାସକ ଦଳ ପକ୍ଷରୁ ବିଧାୟକ ଇରାଶିଷ ଆଚାର୍ଯ୍ୟ, ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଏବଂ ପ୍ରତାପ ଚନ୍ଦ୍ର ନାୟକ ଆଲୋଚନାରେ ଭାଗ ନେଇଥିବାବେଳେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଲୋଚନାର ଉତ୍ତର ରଖିଥିଲେ।
ରାଜସ୍ବ ମନ୍ତ୍ରୀ ପୂଜାରୀ କହିଥିଲେ, ରାଜସ୍ବ ବିଭାଗର ବଜେଟ୍ ୨ହଜାର କୋଟି ଟଙ୍କା ଠାରୁ କମ୍ ହୋଇଥିଲେ ବି ଏହି ବିଭାଗ ସରକାର ବଜେଟ୍ ଖର୍ଚ୍ଚର ମୂଳଦୁଆ। ସରକାର ବିକଶିତ ଓଡ଼ିଶା ଗଠନ ପାଇଁ ଯେଉଁ ଯୋଜନା କରୁଛନ୍ତି ତାହାକୁ ସାକାର କରିବାରେ ରାଜସ୍ବ ବିଭାଗ ପ୍ରମୁଖ ଭୂମିକା ତୁଲାଇବା ୨୪ ବର୍ଷର ବିଜେଡି ସରକାର ରାଜସ୍ଵ ବିଭାଗକୁ ଜଟିଳ କରିଦେଇଥିଲା। ଆମେ ବ୍ୟାପକ ସଂସ୍କାର ଆଣୁଛୁ ୮ ମାସରେ ବହୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିବାବେଳେ ଖୁବ୍ ଶୀଘ୍ର ଆହୁରି ଅନେକ ପଦକ୍ଷେପ ନିଆଯିବ। ଏବେ ୫ରୁ ୬ଟି ପଞ୍ଚାୟତକୁ ନେଇ ଗୋଟିଏ ଆର୍ଆଇ ଅଫିସ ଥିବାବେଳେ ଖୁବ୍ ଶୀଘ୍ର ପ୍ରତି ପଞ୍ଚାୟତ ପାଇଁ ସ୍ବତନ୍ତ୍ର ଆର୍ଆଇ ଅଫିସ ନିର୍ମାଣ ହେବ ଏହାଦ୍ବାରା ଲୋକଙ୍କୁ ରାଜସ୍ବ ସେବା ସୁବିଧାରେ ମିଳିବ। ଓଡ଼ିଶାରେ ପ୍ରାୟ ହଜାରେ କିସମର ଜମି ଥିବାବେଳେ ଏହାକୁ ଆମେ ସଙ୍କୁଚିତ କରି ୨୦ରୁ ୩୦ପ୍ରକାରର କିସମ କରିବାକୁ ଯୋଜନା କରିଛୁ।
ଏହା ସହ ମନ୍ତ୍ରୀ କହିଛନ୍ତି ଯେ ରାଜସ୍ବ ବିଭାଗର ବହୁ କର୍ମଚାରୀ ଅଫିସରେ ଦୁଇ ତିନି ଘଣ୍ଟା କାମ କରୁଥିବା ଦେଖିବାକୁ ମିଳିଥିଲା। ତେଣୁ ଏବେ ସବୁ କାର୍ଯ୍ୟାଳୟରେ ସିସିଟିଭି ଲାଗିଛି। ଯଦି କୌଣସି କର୍ମଚାରୀ ୪ଘଣ୍ଟାରୁ କମ୍ କାମ କରିବେ ତେବେ ତାଙ୍କର ସେଦିନ ଅନୁପସ୍ଥିତ ବୋଲି ହିସାବ କରାଯିବ। ଏହାସହ ୮ ଘଣ୍ଟାରୁ କମ୍ କାମ କଲେ ଅଧା ଦିନ ଗଣାଯିବ।