ବାଲେଶ୍ୱରରେ ବାଇକ୍ ଆମ୍ୱୁଲାନ୍ସ, ରହିଛି ଅକ୍ସିଜେନ ସୁବିଧା
ପହଞ୍ଚି ପାରୁନି ଚାରି ଚକିଆ ଆମ୍ୱୁଲାନ୍ସ ସେବା। ହେଲେ ଘର ଘର ବୁଲି ବାଇକ୍ ଆମ୍ୱୁଲାନ୍ସ ସେବା ଯୋଗାଉଛନ୍ତି ନଗେନ୍ଦ୍ର ନାଥ। ସାଜିଛନ୍ତି ସମସ୍ତଙ୍କ ପାଇଁ ଉଦାହରଣ।
ବାଲେଶ୍ୱର: ପହଞ୍ଚି ପାରୁନି ଚାରି ଚକିଆ ଆମ୍ୱୁଲାନ୍ସ ସେବା। ହେଲେ ଘର ଘର ବୁଲି ବାଇକ୍ ଆମ୍ୱୁଲାନ୍ସ ସେବା ଯୋଗାଉଛନ୍ତି ନଗେନ୍ଦ୍ର ନାଥ। ଯେଉଁଠି ଦେଖୁଛନ୍ତି ଅସହାୟଙ୍କ ସେବା କରିବା ପାଇଁ ପହଞ୍ଚି ଯାଉଛନ୍ତି। କହିବାକୁ ଗଲେ ଆଜିର ଯୁବପିଢୀଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି।
ଯେଉଁଠି ଅପହଞ୍ଚ ଇଲାକାରେ ସରକାରୀ ଆମ୍ୱୁଲାନ୍ସ ସେବା ପହଞ୍ଚି ପାରୁନାହିଁ। ଖବର ପାଇବା ମାତ୍ରେ ନିଜ ଦୁ ଇ ଚକିଆ ଆମ୍ୱୁଲାନ୍ସ ନେଇ ପହଞ୍ଚି ଯାଉଛନ୍ତି ବାଲେଶ୍ୱରର ନଗେନ୍ଦ୍ର ନାଥ ସାମଲ। ନଗେନ୍ଦ୍ରଙ୍କ ଏଭଳି ସେବାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।
ନଗେନ୍ଦ୍ରଙ୍କ ଘର ବାଲେଶ୍ଵର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁନ୍ଧାବୃତି-୧ ପଞ୍ଚାୟତରେ। ସେ ମାନବ ସେବାକୁ ନିଜର ବ୍ରତ କରିଛନ୍ତି। ଆଉ ଅସହାୟ ଲୋକଙ୍କ ସାହାରା ପାଲଟିଛନ୍ତି। ଏଥିପାଇଁ ସରକାରଙ୍କୁ ତରଫରୁ ତାଙ୍କୁ କୌଣସି ସହାୟତା ମିଳୁନାହିଁ।
କିମ୍ୱା ଏହି ବାଇକ୍ ଆମ୍ୱୁଲାନ୍ସ ସରକାରୀ ସଂସ୍ଥା ନୁହେଁ। ବରଂ ଏହା ହେଉଛି ନଗେନ୍ଦ୍ରଙ୍କ ନିଜସ୍ୱ ଗାଡ଼ି। ଏବଂ ଯେଉଁ ଅଞ୍ଚଳରେ ରୋଗୀଙ୍କ ପାଖରେ ଚାରି ଚକିଆ ଆମ୍ୱୁଲାନ୍ସ ପହଞ୍ଚି ପାରୁନି। ସେଠାରେ ନଗେନ୍ଦ୍ରଙ୍କ ୨ ଚକିଆ ବାଇକ୍ ଆମ୍ୱୁଲାନ୍ସ ପହଞ୍ଚୁଛି। ଆଉ ରୋଗୀଙ୍କୁ ହସ୍ପିଟାଲ ପର୍ଯ୍ୟନ୍ତ ନେଇ ଯାଉଛି।
ନଗେନ୍ଦ୍ର ସାମଲ ନିଜେ ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲିଆପାଳ ଅଂଚଳକୁ ରୋଗୀଙ୍କୁ ନେଇ ସେବା ଯୋଗାଇଥାନ୍ତି। ସାପ କାମୁଡିବା ଠାରୁ ଆରମ୍ଭ କରି ପ୍ରସୂତି ପର୍ଯ୍ୟନ୍ତ ସମସ୍ତ ଙ୍କୁ ସେବା ଯୋଗାଉଛନ୍ତି ନଗେନ୍ଦ୍ର।
ନଗେନ୍ଦ୍ର ନାଥ ଭାରତୀୟ ରେଡକ୍ରସ ସୋସାଇଟି, ଏସଡିଆଇଏଫ, କେନ୍ଦ୍ରୀୟ ନାଗରିକ ସୁରକ୍ଷା ବାହିନୀ (ସିଭିଲ ଡିଫେନ୍ସ) ରେ କାର୍ଯ୍ୟ କରିବା ସହିତ ବହୁ ଅନୁଷ୍ଠାନରେ ନିଜକୁ ନିୟୋଜିତ କରିଛନ୍ତି। ଗାଁରେ ପିତାମାତାଙ୍କ ସ୍ମୃତି ଉଦେଶ୍ୟରେ ବନ ଭାରତୀ ଫାଉଣ୍ଡେସନ କରି ୧୦ ଖଣ୍ଡ ପଞ୍ଚାଯତର ପାଖାପାଖୂ ୩୦ ଖଣ୍ଡ ଗାଁରେ ନିଃଶୁଳ୍କ ବାଇକ ଆମ୍ବୁଲାନ୍ସ ସେବା ପ୍ରଦାନର ବ୍ୟବସ୍ଥା କରିଆସୁଛନ୍ତି ନଗେନ୍ଦ୍ର।
ଏହି ବାଇକ ଆମ୍ବୁଲାନ୍ସରେ ଅକ୍ସିଜେନ ସୁବିଧା ମଧ୍ୟ ରହିଛି। ରୋଗୀ ଆରାମରେ ଶୋଇରହି ଡାକ୍ତରଖାନା ଯାଇପାରୁଛନ୍ତି। ସେହିପରି ସମସ୍ତଙ୍କ ଅବଗତି ଓ ସୁବିଧା ପାଇଁ ୨୪ ଘଣ୍ଟା ଟୋଲ ଫ୍ରି ମୋବାଇଲ ନଂ ମଧ୍ୟ ରହିଛି।
ନିଜେ ନଗେନ୍ଦ୍ର ନାଥ ଏକାଧିକ ଥର ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ମଧ୍ୟ ହୋଇଛନ୍ତି। ଏଥିସହ ସେ ନିଜର ସମସ୍ତ ଅଙ୍ଗଦାନ ପାଇଁ ସ୍ୱୀକୃତିପତ୍ର ପ୍ରଦାନ କରିବା ସହ ଗ୍ରାମାଞ୍ଚଳରେ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି।