ମେଟାର ବଢ଼ିଲା ସମସ୍ୟା, ଜୁକରବର୍ଗଙ୍କ ହାତରୁ ଚାଲିଯିବ Instagram ଏବଂ WhatsApp!

ବିକ୍ରି ହୋଇପାରେ ଇନଷ୍ଟାଗ୍ରାମ-ହ୍ବାଟ୍ସଆପ ।

ନୂଆଦିଲ୍ଲୀ: ପ୍ରାୟ ଏକ ଦଶନ୍ଧି ପୂର୍ବେ ହୋଇଥିବା ହ୍ୱାଟସଆପ୍ ଏବଂ ଇନଷ୍ଟାଗ୍ରାମର ଅଧିଗ୍ରହଣ ମେଟା ବେକରେ ଏକ ଫାଶ ପାଲଟିଛି। ସୋମବାର ଆମେରିକା ଫେଡେରାଲ ଟ୍ରେଡ୍ କମିଶନ (FTC) କମ୍ପାନୀର ସିଇଓ ମାର୍କ ଜୁକରବର୍ଗଙ୍କୁ ଏହି ଚୁକ୍ତି ସମ୍ପର୍କରେ କଡ଼ା ପ୍ରଶ୍ନ ପଚାରିଥିଲା।

ଫେଡେରାଲ୍ କମିଶନ 2012 ଏବଂ 2014 ରେ ମେଟା ଦ୍ୱାରା କରାଯାଇଥିବା Instagram ଏବଂ WhatsApp ଚୁକ୍ତିଗୁଡ଼ିକୁ ବେଆଇନ ଘୋଷଣା କରିଛି । ଏହି ମାମଲାରେ, 15 ଏପ୍ରିଲରୁ ଟ୍ରିବ୍ୟୁନାଲ୍ କୋର୍ଟରେ ଆଣ୍ଟି-ଟ୍ରଷ୍ଟ ମାମଲା ଶୁଣାଣି ହେଉଛି । ଯଦି ଫେଡେରାଲ୍ କମିଶନ୍ ମେଟାର ଏହି ଚୁକ୍ତିକୁ ବାତିଲ କରିଦିଏ, ତେବେ ମାର୍କ ଜୁକରବର୍ଗ ଦୁଇଟି ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ୍ ଏବଂ ହ୍ୱାଟସଆପକୁ ହରାଇ ପାରନ୍ତି ।

ମାର୍କ ଜୁକରବର୍ଗ ମତ ସ୍ପଷ୍ଟ କଲେ- ସୋମବାର ଦିନ ଟ୍ରିବ୍ୟୁନାଲ୍ କୋର୍ଟରେ ଶୁଣାଣି ସମୟରେ, କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ତାଙ୍କର ପକ୍ଷ ଉପସ୍ଥାପନ କରି କହିଥିଲେ ଯେ ଏକ ଦଶନ୍ଧି ପୂର୍ବେ କରାଯାଇଥିବା ଏହି ଅଧିଗ୍ରହଣ ଉପଭୋକ୍ତା ଅଭିଜ୍ଞତାକୁ ଉନ୍ନତ କରିବା ଏବଂ ନବସୃଜନକୁ ବୃଦ୍ଧି କରିବା ପାଇଁ ଥିଲା। ଏହି ସମୟରେ, ସମୟ ସହିତ ମେଟାର ପ୍ଲାଟଫର୍ମଗୁଡ଼ିକ ବିକଶିତ ହୋଇଛି ।

ଆଜି, ଉପଭୋକ୍ତାମାନେ ଗୋଷ୍ଠୀ ଏବଂ ବୃହତ୍ତର ଆଗ୍ରହର କ୍ଷେତ୍ରରେ ବିଷୟବସ୍ତୁ ସହିତ ଜଡିତ ହେଉଛନ୍ତି । ମେଟାର ଉଦ୍ଦେଶ୍ୟ ହେଉଛି ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହିତ ସମ୍ପର୍କ ବଜାୟ ରଖିବା।

ଏକଚାଟିଆ ଆଧିପତ୍ୟ ପାଇଁ 2012 ମସିହାରେ ମେଟା ଇନଷ୍ଟାଗ୍ରାମକୁ ଏବଂ 2014 ମସିହାରେ ହ୍ବାଟ୍ସଆପକୁ 22 ବିଲିୟନ ଡଲାରରେ କିଣିଥିଲା ବୋଲି ଆମେରିକାର ପ୍ରତିସ୍ପର୍ଦ୍ଧା ଏବଂ ଖାଉଟି ନିୟାମକ ଅଭିଯୋଗ କରିଥିଲେ । ଏହାକୁୁ ଏଫଟିସି ମଧ୍ୟ ଅନୁମତି ଦେଇଥିଲେ ।

ନିୟମ ଅନୁସାରେ, ଏହି ଡିଲର ପରିମାଣକୁ ତର୍ଜମା କରିବାର ଆବଶ୍ୟକତା ରହିଥିଲା । ଏହି ଆଧାରରେ ମେଟା ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଯଦି ଏଫଟିସି ଏହି ମାମଲା ଜିତେ ତେବେ ଫେସବୁକ ପ୍ରତିଷ୍ଠାତାଙ୍କୁ ଇନଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପ ବିକିବାକୁ ପଡିପାରେ ।