ବନ୍ୟାରେ ଭାସୁଛି କଙ୍ଗୋ, ବର୍ତ୍ତମାନ ସୁଦ୍ଧା 72ଜଣଙ୍କ ମୃତ୍ୟୁ

କଙ୍ଗୋରେ ବନ୍ୟା ବିତ୍ପତି ।

ନୂଆଦିଲ୍ଲୀ: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (DRC)ର ଅନେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି । ଦେଶର ରାଜଧାନୀ କିନସାସା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ସୂଚନା ଅନୁଯାୟୀ, କିନଶାସାର ୧୧ଟି ସ୍ୱାସ୍ଥ୍ୟ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି । ସେଠାକାର 5,000 ରୁ ଅଧିକ ଲୋକଙ୍କୁ ଘର ଛାଡିବାକୁ ବାଧ୍ୟ କରାଯାଇଛି । ଏପର୍ଯ୍ୟନ୍ତ ଅତି କମରେ 72 ଜଣ ପ୍ରାଣ ହରାଇଛନ୍ତି ଏବଂ 170 ରୁ ଅଧିକ ଆହତ ହୋଇଛନ୍ତି । ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ  ହାହାକାର ଦେଖାଯାଇଛି ।

ଦେଶର ପୂର୍ବରେ ଥିବା ଟାଙ୍ଗାନିକା ଏବଂ ଦକ୍ଷିଣ କିଭୁ ପ୍ରଦେଶ ମଧ୍ୟ ପ୍ରବଳ କ୍ଷତି ସହିଛି । କିନ୍ତୁ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା ଆକଳନ କରଯାଇ ନାହିଁ ।

କିନସାସା ଷ୍ଟାଡିୟମରେ ଜରୁରୀକାଳୀନ ରିଲିଫ୍ କେନ୍ଦ୍ର ଏବଂ ଆଶ୍ରୟସ୍ଥଳ ସ୍ଥାପନ କରାଯାଇଛି । ଦେଶର ସର୍ବବୃହତ କ୍ରୀଡା ଷ୍ଟାଡିୟମ, ଷ୍ଟେଡ୍ ଡି ମାର୍ଟିୟର୍ସରେ ୪,୫୦୦ ରୁ ଅଧିକ ଲୋକ ପହଞ୍ଚି ସାରିଛନ୍ତି । ତେଣୁ ସରକାର ଏବେ ଲୋକଙ୍କୁ ଅନ୍ୟ ସ୍ଥାନକୁ ପଠାଇବାକୁ ଯୋଜନା କରୁଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସ୍ୱାସ୍ଥ୍ୟ ଏବଂ ରିଲିଫ୍ କାର୍ଯ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ବଜାୟ ରଖିବା ପାଇଁ ପ୍ରସ୍ତୁତ ରହିଛୁ । ଆଗାମୀ ଦିନରେ ଆହୁରି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି, ଯାହା 17 ନିୟୁତ ଲୋକଙ୍କ ଏହି ସହରରେ ଆହୁରି କ୍ଷୟକ୍ଷତିର ଆଶଙ୍କା ସୃଷ୍ଟି କରିଛି ।