ଶ୍ରେଣୀଗୃହରେ ଶିକ୍ଷକ ପିଉଛନ୍ତି ମଦ: ପ୍ରତିବାଦରେ ଖାଲି ପାଦରେ ଚାଲି ଚାଲି ୮୦ କି.ମି ଗଲେ ସୁରେଶ
ଶିକ୍ଷା ବ୍ୟବସ୍ଥା ପାଇଁ ଶିକ୍ଷକଙ୍କ ନିଆରା ପ୍ରତିବାଦ । ଗଳାରେ ଚପଲ ମାଳ ପିନ୍ଧି କଲେକ୍ଟରଙ୍କ ପାଖକୁ ଗଲେ ।
ଭୋପାଳ: ମଧ୍ୟ ପ୍ରଦେଶ ଭିଣ୍ଡରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସୁରେଶ ମାହୋର ନାମକ ଶିକ୍ଷକ ଶିକ୍ଷା ବ୍ୟବସ୍ଥାରେ ଲାଗି ରହିଥିବା ଅନୀୟମିତତାକୁ ନେଇ କରିଛନ୍ତି ନିଆରା ପ୍ରତିବାଦ ।
ସୁରେଶ ବେକରେ ଚପଲ ମାଳ ପିନ୍ଧି ପହଞ୍ଚିଛନ୍ତି କଲେକ୍ଟରଙ୍କ ପାଖରେ । ପାଖାପାଖି ୮୦ କିଲୋମିଟର ଖରାରେ ଚାଲି ଚାଲି ସୁରେଶ କଲେକ୍ଟରଙ୍କ ପାଖରେ ଅଭିଯୋଗ ଶୁଣାଣି ପାଇଁ ପହଞ୍ଚିଛନ୍ତି ।
ଭିଣ୍ଡ କଲେକ୍ଟର ସଞ୍ଜୀବ ଶ୍ରୀବାସ୍ତବଙ୍କୁ ସାକ୍ଷାତ କରି ସ୍ଥାନୀୟ ସ୍କୁଲରେ ଚାଲିଥିବା ଅରାଜକତା ବିଷୟରେ ଜଣାଇଥିବା କହିଛନ୍ତି । ଏଥିସହ ଅଫିସରଙ୍କ ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ପର୍ଯ୍ୟନ୍ତ ସେ ପ୍ରତିବାଦ ଜାରି ରଖିବେ ବୋଲି କହିଛନ୍ତି।
ସ୍କୁଲରେ ଶିକ୍ଷକମାନେ ପାଠ ପଢାରେ ନିଜ ମନମାନି କରୁଥିବାବେଳେ ଶ୍ରେଣୀ ଗୃହରେ ମଦ ପିଇବା ଠାରୁ ଆରମ୍ଭ କରି ସିଗାରେଟ ଟାଣୁଛନ୍ତି । ଏହାଦ୍ୱାରା ପିଲାମାନେ ମଧ୍ୟ ପ୍ରଭାବିତ ହେଉଥିବା ସୁରେଶ କହିଛନ୍ତି ।
ଶିକ୍ଷକମାନେ ୧୦ଟାରୁ ୪ଟା ପର୍ଯ୍ୟନ୍ତ ସ୍କୁଲରେ ରହୁ ନ ଥିବାବେଳେ କିଛି ଶିକ୍ଷକ ରେଜିଷ୍ଟରରେ ଦସ୍ତଖତ କରି ଚାଲିଯାଉଥିବା ସେ କହିଛନ୍ତି । ସ୍ଥାନୀୟ ଶିକ୍ଷା ବ୍ୟବସ୍ଥାରେ ଦେଖାଯାଉଥିବା ଏକାଧିକ ବ୍ୟତିକ୍ରମକୁ ଦୂର କରିବା ପାଇଁ ସୁରେଶ ଏ ପ୍ରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ।
କଲେକ୍ଟରଙ୍କୁ ଦେଖା କରି ସୁରେଶ ଗୁହାରି କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।