ଦଶମ ନୁହେଁ ଅଙ୍ଗନବାଡ଼ି ସୁପରଭାଇଜର ପାଇଁ ସ୍ନାତକ ଡିଗ୍ରୀ ଆବଶ୍ୟକ

ଅଙ୍ଗନବାଡି ଚାକିରିରେ ବଡ଼ ପରିବର୍ତ୍ତନ। ପୂର୍ବରୁ ଦଶମ ପାସ୍ କରିଥିଲେ ମିଳୁଥିଲା ଅଙ୍ଗନବାଡି ସୁପରଭାଇଜର ଚାକିରି। ହେଲେ ଏବେଠାରୁ ସ୍ନାତକ ଡିଗ୍ରୀ କରିଥିଲେ କରିପାରିବେ ଚାକିରି।

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଅଙ୍ଗନବାଡି ସୁପରଭାଇଜର ହେବାକୁ ହେଲେ ଆବଶ୍ୟକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କିମ୍ୱା ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ।

ପୂର୍ବରୁ ଦଶମ ପାସ୍ କରିଥିଲେ ଅଙ୍ଗନବାଡି ସୁପରଭାଇଜର ଚାକିରି ସହଜରେ କରିପାରୁଥିଲେ। ହେଲେ ରାଜ୍ୟ ସରକାର ଏ ନିୟମରେ ପରିବର୍ତ୍ତନ କରିଛନ୍ତି। ଏଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆସିଥିବା ‘ଓଡ଼ିଶା ଶିଶୁ ଓ ମହିଳା କଲ୍ୟାଣ ସେବା (ସଂଶୋଧନ) ନିୟମ, ୨୦୨୫’ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।

ଅଙ୍ଗନବାଡ଼ି ସୁପରଭାଇଜର୍‌ର ୫୦% ପଦବି ପାଇଁ ସିଧାସଳଖ ନିଯୁକ୍ତି ହେଉଥିବା ବେଳେ ବାକି ୫୦% ପଦବିରେ ଅଙ୍ଗନବାଡ଼ି କର୍ମୀଙ୍କୁ ପଦୋନ୍ନତି ମାଧ୍ୟମରେ ନିଯୁକ୍ତି ଦିଆଯାଉଥିଲା। ଏଥିରେ ପୂର୍ବରୁ ଯେଉଁ ଅଙ୍ଗନବାଡ଼ି କର୍ମୀ ଦଶମ ପାସ୍‌ କରିଥିବେ ସେମାନଙ୍କ ମଧ୍ୟରୁ ପଦୋନ୍ନତି ମାଧ୍ୟମରେ ସୁପରଭାଇଜର୍ ନିଯୁକ୍ତି ଦିଆଯାଉଥିଲା।

କିନ୍ତୁ ଏବେଠାରୁ ଆଉ ଦଶମ ପାସ୍ କରିଥିଲେ ମିଳିବନି ଅଙ୍ଗନବାଡି ସୁପରଭାଇଜର ଚାକିରି। ଏଥିପାଇଁ ଜରୁରୀ ସ୍ନାତନ ଡିଗ୍ରୀ। କିନ୍ତୁ ଏହି ସଂଶୋଧନ ନିୟମ ପୂର୍ବ ନିର୍ଦ୍ଧାରିତ ଯୋଗ୍ୟତା ଅନୁଯାୟୀ କାର୍ଯ୍ୟ କରି ଆସୁଥିବା ଅଙ୍ଗନବାଡ଼ି କର୍ମୀଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ।

ଏହି ପଦକ୍ଷେପ ଦ୍ୱାରା ଅଙ୍ଗନବାଡ଼ି କର୍ମୀଙ୍କ ସେବା ବିତରଣ ମାନ ବୃଦ୍ଧି ହେବ, ଶିଶୁ ଓ ମହିଳାଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଯୋଜନାଗୁଡ଼ିକର ସୁପରିଚାଳନା ତଥା ବିଭାଗର ଦକ୍ଷତାକୁ ଦୃଢ଼ କରିବାରେ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି।