ଅପରେସନ କରିବାକୁ 1ଘଣ୍ଟା, ପଥର ଗଣିବାକୁ 6ଘଣ୍ଟା

ଅପରେସନ କରିବାକୁ ଯେତିକି ସମୟ ଲାଗିଲାନି ତାର 6ଗୁଣ ଲାଗିଗଲା ପେଟରୁ ବାହାରିଥିବା ପଥର ଗଣିବାରେ

ଓଡିଶା ଭାସ୍କର: ଯେତିକି ସମୟ ଅପରେସନ ପାଇଁ ଲାଗିଲାନି ତାର 6ଗୁଣ ପେଟରୁ ବାହାରିଥିବା ପଥର ଗଣିବାରେ ଲାଗିଗଲା।ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗୁରୁଗ୍ରାମରେ। ଜଣେ 70 ବର୍ଷୀୟ ବୃଦ୍ଧଙ୍କ ପେଟରୁ ବାହାରିଛି 8 ହଜାରରୁ ଅଧିକ ପଥର।

ରୋଗୀ ଜଣଙ୍କ ବହୁ ବର୍ଷ ଧରି ପେଟ ଯନ୍ତ୍ରଣା, ଜ୍ୱର, ଭୋକ ନ ଲାଗିବା, ଦୁର୍ବଳ ହୋଇଯିବା ଏବଂ ଛାତିରେ କଷ୍ଟ ଅନୁଭବ କରୁଥିଲେ। କିନ୍ତୁ ଡାକ୍ତରଙ୍କ ପରାମର୍ଶ ନେଉନଥିଲେ। ଯେତେବେଳେ ସେ ପେଟ ଯନ୍ତ୍ରଣାକୁ ଆଉ ସହିନପାରିଲେ ସେତେବେଳେ ତାଙ୍କୁ ଗୁରୁଗ୍ରାମର ଫୋର୍ଟିସକୁ ନିଆଯାଇଥିଲା।ସେଠାକୁ ଗଲା ପରେ ସଂଗେ ସଂଗେ ତାଙ୍କର ଅଲ୍ଟ୍ରାସାଉଣ୍ଡ ହୋଇଥିଲା ଏବଂ ଡାକ୍ତର ତୁରନ୍ତ ତାଙ୍କୁ ଅପରେସନ କରିବାକୁ କହିଥିଲେ।

ଡାକ୍ତରଙ୍କ 10ଜଣିଆ ଟିମ ଅପରେସନ କରିଥିଲେ ଏବଂ ସେଥିରେ ସେ ସଫଳ ମଧ୍ୟ ହୋଇଥିଲେ। ଅପରେସନ ସମୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଥିଲା ଏହି ଅପରେସନ କରିବାକୁ 60 ମିନିଟ ବା ଏକ ଘଣ୍ଟା ସମୟ ଲାଗିଥିବା ବେଳେ ପେଟରୁ ଯେତିକି ପଥର ବାହାରି ଥିଲା ତାକୁ ଗଣିବାକୁ 6ଘଣ୍ଟା ସମୟ ଲାଗିଥିଲା। ସେହି ପଥରର ସଂଖ୍ୟା ଥିଲା 8,125।

ଏହି ଅପରେସନକୁ ନେଇ ଫୋର୍ଟିସ୍ ମେମୋରିଆଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଭାଇସ ପ୍ରେସିଡେଣ୍ଟ ଏବଂ ଫ୍ୟାସିଲିଟି ନିର୍ଦ୍ଦେଶକ ୟଶ ରାୱତ କହିଛନ୍ତି ଯେ, ଏହି ଅପରେସନ ଆମ ପାଇଁ ବହୁତ ଚ୍ୟାଲେଞ୍ଜିଂ ଥିଲା କିନ୍ତୁ ଭଗବାନଙ୍କ ଦୟାରୁ ତାହା ସଫଳ ହୋଇପାରିଲା। ଏସବୁ କ୍ଷେତ୍ରରେ ରୋଗୀଙ୍କୁ ସଚେତନ ରହିବା ଉଚିତ। ଯଦି ଏସବୁକୁ ନେଇ ଅବହେଳା କରାଯାଏ, ତେବେ ରୋଗୀଙ୍କର ମୃତ୍ୟୁ ବି ହୋଇପାରେ।