ଗର୍ଭରେ ଥିବା ଛୁଆ ପାଇଁ ମୃତ ମାଆକୁ ବଞ୍ଚେଇ ରଖିବାକୁ ପଡିଲା 8ମାସ
ଗର୍ଭରେ ଛୁଆ ଥିବାବେଳେ ମାଆର ହେଲା ମୃତ୍ୟୁ, ଛୁଆକୁ ବଞ୍ଚେଇବାକୁ ଯାଇ 8ମାସ ଯାଏଁ ମାଆକୁ ବଞ୍ଚେଇ ରଖାଗଲା
ଓଡିଶା ଭାସ୍କର: ସବୁବେଳେ ସିନେମାରେ ଆମେ ଦେଖିଛେ ଯେତେବେଳେ କୌଣସି ଗର୍ଭବତୀ ମହିଳାଙ୍କ ସ୍ୱାମୀ କିମ୍ବା ସେମାନଙ୍କ ଘରଲୋକଙ୍କୁ ପଚରାଯାଏ କି, ଛୁଆ ଏବଂ ମାଆଙ୍କ ମଧ୍ୟରୁ ଜଣଙ୍କୁ ବଞ୍ଚେଇ ହେବ। ସେଭଳି ପରିସ୍ଥିତିରେ ସ୍ୱାମୀ କିମ୍ବା ପରିବାର ସଦସ୍ୟଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଯେ କାହାକୁ ବଞ୍ଚେଇବାକୁ ପଡିବ। କିନ୍ତୁ ଆମେରିକାର ଜର୍ଜିଆରେ ଏଭଳି ପରିସ୍ଥିତିକୁ ନେଇ ଏକ ସ୍ୱତନ୍ତ୍ର ଆଇନ ଅଛି। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ମାଆର ଅବସ୍ଥା ଯାହା ହେଉ ନା କାହିଁକି କିନ୍ତୁ ଗର୍ଭରେ ଥିବା ଶିଶୁ ଠିକ ରହିବା ଦରକାର।
ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାର ଜର୍ଜିଆରେ। 30 ବର୍ଷୀୟା ଆଡ୍ରିଆନା ସ୍ମିଥ, ଯିଏକି ଜଣେ ନର୍ସ। ଫେବୃଆରୀ ମାସରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା। ସେତେବେଳେ ସେ 9ସପ୍ତାହର ଗର୍ଭବତୀ ଥିଲେ କିନ୍ତୁ ବର୍ତ୍ତମାନ ସେ 23 ସପ୍ତାହର ଗର୍ଭବତୀ।
ଆପଣ ଭାବୁଥିବେ ମୃତ୍ୟୁ ପରେ ଏହା କିପରି ସମ୍ଭବ? ଆଜ୍ଞା ହଁ, ଜର୍ଜିଆର କଠୋର ଗର୍ଭପାତ ଆଇନ ଯୋଗୁଁ କେବଳ ଶିଶୁର ଜୀବନ ବଞ୍ଚାଇବା ପାଇଁ ମହିଳା ଜଣଙ୍କୁ ICU ରେ ରଖାଯାଇଥିଲା। ତାଙ୍କ ପରିବାର କିନ୍ତୁ ଏହାକୁ ନିର୍ଯାତନାର ଆଖ୍ୟା ଦେଉଛନ୍ତି ଏବଂ କହୁଛନ୍ତି ଯେ,ପିଲାଟିକୁ ବଞ୍ଚାଇବା ପାଇଁ ମାଆର ଶରୀରକୁ ପଚିବାକୁ ଦିଆଯାଉଛି।
କିପରି ତାଙ୍କୁ ମୃତ ଘୋଷଣା କରାଯାଇଥିଲା?
ଯେତେବେଳେ ଆଡ୍ରିଆନାଙ୍କର ମୁଣ୍ଡବିନ୍ଧା ହୋଇଥିଲା, ସେ ଆଟଲାଣ୍ଟାର ନର୍ଥସାଇଡ୍ ହସ୍ପିଟାଲକୁ ଯାଇଥିଲେ କିନ୍ତୁ ଡାକ୍ତରମାନେ ତାଙ୍କୁ ଔଷଧ ଦେଇ ଘରକୁ ପଠାଇଦେଲେ। ପରଦିନ ତାଙ୍କ ସାଙ୍ଗ ଦେଖିଲେ ଯେ, ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି। ତା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା।
ସେଠାରେ, ସିଟି ସ୍କାନରୁ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡ଼ିଲା। ଚାପ କମାଇବା ପାଇଁ ଅପରେସନ ମଧ୍ୟ କରାଗଲା ଯାହା ବିଫଳ ହେଲା। ତା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କଲେ। ଡାକ୍ତରମାନେ ପରିବାରକୁ କହିଥିଲେ ଯେ ସେମାନେ ଆଡ୍ରିଆନାଙ୍କୁ ଡିଭାଇସଗୁଡ଼ିକରୁ ବାହାର କରିପାରିବେ ନାହିଁ। ଭ୍ରୁଣକୁ ରକ୍ଷା କରିବା ପାଇଁ, ସେମାନଙ୍କୁ ଅଗଷ୍ଟ ପର୍ଯ୍ୟନ୍ତ ଏହାକୁ ଜୀବିତ ରଖିବାକୁ ପଡିବ। ସେତେବେଳକୁ ଗର୍ଭସ୍ଥ ଶିଶୁଟି 32 ସପ୍ତାହର ହୋଇଯିବ। ସେହି ସମୟରେ ସିଜେରିଆନ୍ ଦ୍ୱାରା ଶିଶୁଟିର ଜନ୍ମ ହେବ।