ଭଗବାନଙ୍କୁ ବି ହେଉଛି ଗରମ! ମନ୍ଦିରରେ ଲାଗୁଛି ଏସି
ଠାକୁରଙ୍କୁ ଗରମ ପ୍ରବାହରୁ ମୁକ୍ତି ଦେବା ପାଇଁ ମନ୍ଦିରରେ ଲାଗିଛି ଏସି
ବାରଣାସୀ: କେବେ ଆପଣ ଭାବିଛନ୍ତି, ଆମକୁ ଯଦି ଏତେ ଗରମ ହେଉଛି ତାହେଲେ ଭଗବାନଙ୍କୁ ଗରମ ହେଉଥିବ କି ନାହିଁ? ଆମେ ଯଦି ଏସି, କୁଲର ବିନା ରହିପାରୁନେ ତେବେ ଠାକୁରଙ୍କୁ ମଧ୍ୟ ଏସି, କୁଲରର ଆବଶ୍ୟକତା ରହିଥିବ।
ଆପଣଙ୍କୁ ଏହି କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ କାଶୀର ପବିତ୍ର ଭୂମିରେ ଗରମର ତାପରୁ ଦେବୀ-ଦେବତାମାନଙ୍କୁ ରକ୍ଷା କରିବା ପାଇଁ, ମନ୍ଦିରରେ ଏସି, କୁଲର ଏବଂ ଫ୍ୟାନର ବ୍ୟବସ୍ଥା କରାଯାଇଛି।
ଆଜ୍ଞା ହଁ, ବାରଣାସୀର ମନ୍ଦିରଗୁଡ଼ିକରେ ଭକ୍ତମାନଙ୍କ ପାଇଁ ଛାଇ ଏବଂ ଥଣ୍ଡା ପାଣିର ବ୍ୟବସ୍ଥା ଅଛି। ଖାଲି ସେତିକି ନୁହେଁ ଗର୍ଭଗୃହରେ ଭଗବାନଙ୍କ ପାଇଁ ଏସି ଏବଂ କୁଲର ମଧ୍ୟ ଚାଲୁଛି।
ଏଥର ବାରଣାସୀରେ ହେଉଥିବା ଗରମ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ଏଠାରେ ସର୍ବାଧିକ ତାପମାତ୍ରା 45 ଡିଗ୍ରୀରେ ପହଞ୍ଚିଛି, ଏବଂ ସକାଳ 9ରୁ ଏହା 42 ଡିଗ୍ରୀରେ ପହଁଚି ଯାଉଛି। ଆକାଶରୁ ନିଆଁ ବର୍ଷା ପରି ହେଉଥିବା ଗରମ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଉଚ୍ଚବର୍ଗର ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବିଚଳିତ କରୁଛି।
ସେଥିପାଇଁ କାଶୀରେ ଥିବା ମନ୍ଦିର ଗୁଡିକରେ ଭକ୍ତଙ୍କୁ କିପରି ଗରମ ଲାଗିବ ନାହିଁ ସେଥିପାଇଁ ପଙ୍ଖା, କୁଲର,ଏସି ଏବଂ ଥଣ୍ଡା ପାଣିର ବ୍ୟବସ୍ଥା କରାଯାଇଛି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ଗର୍ଭ ଗୃହରେ ମଧ୍ୟ ଭଗବାନଙ୍କ ପାଇଁ ଏସିର ବ୍ୟବସ୍ଥା କରାଯାଇଛି। ଏହା ଭକ୍ତି ଏବଂ ପ୍ରଯୁକ୍ତିର ଏକ ଅନନ୍ୟ ମିଶ୍ରଣ, ଯାହା ବାରଣାସୀର ଆଧ୍ୟାତ୍ମିକ ଐତିହ୍ୟକୁ ଅଧିକ ସ୍ୱତନ୍ତ୍ର କରୁଛି।
ବାରଣାସୀର ଲୋହାଟିଆ ଅଞ୍ଚଳରେ ଅବସ୍ଥିତ ପ୍ରାଚୀନ ବଡ଼ ଗଣେଶ ମନ୍ଦିରରେ ମଧ୍ୟ ଏହି ଗରମକୁ ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।ଏହାକୁ ନେଇ ମନ୍ଦିରର ପୂଜାରୀ ରାଜେଶ ତିୱାରୀ କୁହନ୍ତି ଯେ, ଭଗବାନ ତ ପାଳନକର୍ତ୍ତା। ଗରମ ତାଙ୍କୁ କିପରି କଷ୍ଟ ଦେଇପାରିବ।