ଜଣେ ଲୋକ, 8ଟି ଚାକିରୀ, ସାଙ୍ଗ ଖୋଲିଦେଲା ସାଙ୍ଗର ପୋଲ

ଗୋଟିଏ ଲୋକ, 4ଟି ଜିଲ୍ଲାରେ 8ଟି ଚାକିରୀ, ସବୁଠାରୁ ପାଉଥିଲେ ଲକ୍ଷ ଲକ୍ଷ ଟଙ୍କା

ଉତ୍ତରପ୍ରଦେଶ: ଜଣେ ଲୋକ, 4ଟି ଜିଲ୍ଲାରେ 8ଟି ଚାକିରୀ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା? ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମେରଠ ଜିଲ୍ଲାରେ। ଯେଉଁଠି ଦୀନେଶ କୁମାର ନାମକ ଜଣେ ଶିକ୍ଷକ ଜାଲ ଡକ୍ୟୁମେଣ୍ଟ ଦାଖଲ କରି 8ଟି କଲେଜରେ କାମ କରୁଥିଲେ ଏବଂ ପ୍ରତ୍ୟେକ କଲେଜରୁ ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଥିଲେ।

ଜାଲ୍ ଡକ୍ୟୁମେଣ୍ଟ ମାଧ୍ୟମରେ ଅଭିଯୁକ୍ତ ଶିକ୍ଷକ ମେରଠ, ଗାଜିଆବାଦ, ସହାରନପୁର ଏବଂ ପାଣିପତର ସ୍କୁଲ ଆଉ କଲେଜରେ ଚାକିରି ପାଇଥିଲେ। ତା ସହିତ ପାଠ ପଢା ମଧ୍ୟ ଜାରି ରଖିଥିଲେ।

କୋର୍ଟଙ୍କ ନିର୍ଦ୍ଦେଶ: ଏବେ ଏହି ନକଲି ଶିକ୍ଷକଙ୍କ ବିରୋଧରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏକ ମାମଲା ରୁଜୁ କରାଯାଇଛି। ଆଟଲାଣ୍ଟିସ୍ କଲେଜ ଏବଂ ଶିକ୍ଷାର କାର୍ଯ୍ୟକାରୀ ସଭାପତି ପୁନମ୍ ଶର୍ମା କୋର୍ଟରେ ଏକ ଆବେଦନ ପତ୍ର ଦାଖଲ କରି ଶିକ୍ଷକ ଦିନେଶ କୁମାରଙ୍କୁ ଜାଲ ଡକ୍ୟୁମେଣ୍ଟ ଆଧାରରେ ଚାକିରି ମିଳିଥିବା ଅଭିଯୋଗ କରିଥିଲେ।

ଏହି ମାମଲାରେ, କୋର୍ଟ ଦିନେଶ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମେରଠର ସରଧାନ ପୋଲିସ ଷ୍ଟେସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଏକା ସଙ୍ଗେ 8ଟି ସ୍ଥାନରେ କାମ କରୁଥିଲେ: ଶିକ୍ଷା ଜଗତକୁ ଲଜ୍ଜିତ କରିଥିବା ଦିନେଶ କୁମାର ମିରଟର 4ଟି, ସହାରନପୁରରେ 1ଟି , ଗାଜିଆବାଦରେ 1ଟି ଏବଂ ପାଣିପତରରେ 2ଟି ସ୍କୁଲରେ ଜାଲ ଡକ୍ୟୁମେଣ୍ଟ ଦାଖଲ କରି ଚାକିରି ପାଇଥିଲେ। ଏହି ସବୁ ସ୍ଥାନରୁ ସେ ପ୍ରତି ମାସରେ ଲକ୍ଷ ଲକ୍ଷ ଦରମା ମଧ୍ୟ ପାଉଥିଲେ।

ଦିନେଶ କୁମାରଙ୍କ ବିରୋଧରେ ଆଉ ଏକ ଅଭିଯୋଗ ମଧ୍ୟ ଥିଲା ଯେ, ସେ ବିନା ଛୁଟିରେ ଚାକିରୀକୁ ଆସିବା ସହିତ M.Sc ଡିଗ୍ରୀ ମଧ୍ୟ ହାସଲ କରିଥିଲେ।

ସାଥି ଖୋଲିଦେଲେ ପୋଲ: ସୂଚନା ଅନୁସାରେ ଦିନେଶ କୁମାରଙ୍କ ସାଥୀ, ଯିଏ କି ଏ ସମ୍ପର୍କରେ ସବୁ ଜାଣିଥିଲେ ସେ ହିଁ ଏହି ଠକେଇ ସମ୍ବନ୍ଧରେ ସୂଚନା ଦେଇଥିଲେ। ଯାହାକୁ ନେଇ ପୋଲିସ କହିଛି ଯେ କୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ ହେବା ସହ ମାମଲାର ତଦନ୍ତ ଚାଲିଛି।