ସାପକୁ କରୁଥିଲେ ଗେଲ, ସାପ ବାହାର କରିଦେଲା ତେଲ

ସାପ ସହ ଖେଳିବା ଜୀବନ ପ୍ରତି ହେଲା କାଳ

ଓଡିଶା ଭାସ୍କର: ସାପ ସହ ଗେଲ ଖେଳୁଥିଲେ, ସାପ ତେଲ ବାହାର କରିଦେଲା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆମରୋହାରେ। ଜଣେ ବ୍ୟକ୍ତି ସାପକୁ ନିଜ ବେକରେ ଗୁଡ଼ାଇ ଲୋକଙ୍କ ଆଗରେ ଦେଖେଇ ହଉଥିଲେ, କିନ୍ତୁ ସାପଟି ହଠାତ ବୁଲିପଡି ତାଙ୍କ ଜିଭକୁ କାମୁଡ଼ିଦେଲା।

ସାପ ଗୋଟେ ଏମିତି ଜୀବ, ଯାହାକୁ ଲୋକେ ଦେଖିଲେ ଡରନ୍ତି। କାରଣ ଥରେ ସାପ କାମୁଡ଼ିଲେ ବଞ୍ଚିବା କଷ୍ଟକର। କିନ୍ତୁ ଏଠାରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ନିଜର ସାହସକୁ ଦେଖେଇବା ପାଇଁ ଲୋକଙ୍କ ଆଗରେ ସାପକୁ ବେକରେ ଗୁଡ଼ାଇ, ତାକୁ ଜିଭ ଲଗାଇ ମଜା ନେଉଥିଲେ।

କିନ୍ତୁ ଏହା ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହେଲା। ସାପଟି ତାଙ୍କ ଜିଭକୁ କାମୁଡ଼ିଦେଲା। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ନିଜ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।

ଏହିସବୁ ଘଟଣା ଘଟିବା ସମୟରେ ସେଠାରେ ଉପସ୍ଥିତ ଥିଲା ଲୋକଙ୍କ ମଧ୍ୟରୁ କିଏ ଜଣେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ। ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି।