ଆକ୍ସିଅମ୍ ମିଶନ୍ ୪ ପୁଣି ବିଳମ୍ବିତ: ଜୁନ୍ ୨୨କୁ ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ଅନ୍ତରୀକ୍ଷ ଯାତ୍ରା

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ନେତୃତ୍ୱାଧୀନ ଆକ୍ସିଅମ୍ ମିଶନ୍-୪ (Ax-4) ର ଉତକ୍ଷେପଣ ପୁଣି ଥରେ ବିଳମ୍ବିତ ହୋଇଛି। ଏହି ମିଶନ୍ ଏବେ ଜୁନ୍ ୨୨, ୨୦୨୫ କୁ ସ୍ଥଗିତ କରାଯାଇଛି। ଆକ୍ସିଅମ୍ ସ୍ପେସ୍, ନାସା ଏବଂ ସ୍ପେସ୍‌ଏକ୍ସ ପକ୍ଷରୁ ମଙ୍ଗଳବାର ରାତିରେ ଜାରି ଏକ ବିବୃତି ଅନୁଯାୟୀ, ପ୍ରତିକୂଳ ପାଗ ଯୋଗୁଁ ଏହି ବିଳମ୍ବ ହୋଇଛି।

ଏହି ମିଶନ୍ ମାଧ୍ୟମରେ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS) କୁ ଯାତ୍ରା କରିବେ, ଯାହା ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ। ପୂର୍ବରୁ ଜୁନ୍ ୧୦ରୁ ଜୁନ୍ ୧୧କୁ ସ୍ଥଗିତ ହୋଇଥିବା ଏହି ଉତକ୍ଷେପଣ ପାଗ ସମ୍ବନ୍ଧୀୟ ସମସ୍ୟା ହେତୁ ପୁଣି ଥରେ ଘୁଞ୍ଚିଛି।

କେନେଡୀ ସ୍ପେସ୍ ସେନ୍ଟରରୁ ସ୍ପେସ୍‌ଏକ୍ସ ଫାଲକନ୍ ୯ ରକେଟ୍ ମାଧ୍ୟମରେ ଏହି ମିଶନ୍ ଉତକ୍ଷେପଣ ହେବାର ଯୋଜନା ରହିଛି। ଆକ୍ସିଅମ୍-4 ମିଶନ୍ ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏବଂ ଆକ୍ସିଅମ୍ ସ୍ପେସ୍ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ପ୍ରତିଫଳିତ କରୁଛି। ଶୁଭାଂଶୁ ଶୁକ୍ଳାଙ୍କ ଏହି ଯାତ୍ରା ଭାରତୀୟ ମହାକାଶଚାରୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବ, ଯିଏକି ଅନ୍ତରୀକ୍ଷରେ ଗବେଷଣା ଏବଂ ପରୀକ୍ଷଣ କାର୍ଯ୍ୟରେ ଅଂଶଗ୍ରହଣ କରିବେ।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏକ ବିବୃତିରେ କହିଛନ୍ତି ଯେ, ପାଗ ସ୍ଥିତିରେ ଉନ୍ନତି ହେଲେ ଉତକ୍ଷେପଣ ନିର୍ଦ୍ଧାରିତ ସମୟରେ ହୋଇପାରିବ। ଅଧିକ ଅପଡେଟ୍ ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି।

ଏହି ମିଶନ୍ ଭାରତର ମହାକାଶ କ୍ଷେତ୍ରରେ ବିଶ୍ୱ ମାନ୍ଚିତ୍ରରେ ଅଗ୍ରଣୀ ସ୍ଥାନ ଅଧିକାର କରିବାରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।