ପ୍ରେମିକ ପ୍ରେମିକାଙ୍କ ମଝିରେ ChatGPT, ବ୍ରେକଅପ କରାଇ ନିଜେ ପ୍ରେମରେ ପଡିଗଲା
ChatGPT ପାଇଁ ପ୍ରେମିକ ପ୍ରେମିକାଙ୍କର ହୋଇଗଲା ବ୍ରେକଅପ
ବ୍ରିଟେନ: ପ୍ରେମିକ ପ୍ରେମିକାଙ୍କ ମଝିରେ ChatGPT। ବୁଝିପାରୁ ନାହାଁନ୍ତି ନା? ବାସ୍ତବରେ ଆଜିକାଲି ସମସ୍ତେ ନିଜର ସମସ୍ୟାର ସମାଧାନ AI ସାହାର୍ଯ୍ୟରେ କରୁଛନ୍ତି। AI କେବଳ ପ୍ରଯୁକ୍ତିବିଦ୍ୟା ଏବଂ ଜ୍ଞାନ ସହିତ ଜଡିତ ଜିନିଷ ବିଷୟରେ କହିନଥାଏ, ବରଂ ସମ୍ପର୍କ ଏବଂ ଭାବନା ସହିତ ଜଡିତ ଦିଗଗୁଡ଼ିକୁ ବୁଝିବାରେ ମଧ୍ୟ ସାହାର୍ଯ୍ୟ ଆଉ ପରାମର୍ଶ ମଧ୍ୟ ଦିଏ।
ସେହିପରି ଏକ ଘଟଣା ବ୍ରିଟେନର ଜଣେ ମହିଳାଙ୍କ ସହିତ ଘଟିଛି। ଜେନିଫର ଜେ ନାମକ ଜଣେ 38 ବର୍ଷୀୟା ମହିଳା କହିଛନ୍ତି ଯେ, ChatGPT ତାଙ୍କୁ ପରାମର୍ଶ ଦେବା ପରେ ସେ ତାଙ୍କ ପ୍ରେମିକଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। କାରଣ ChatGPT ମହିଳାଙ୍କୁ କହିଥିଲା ଯେ, “ତୁମେ ଏହାଠାରୁ ଭଲ ପାଇବାର ଯୋଗ୍ୟ!”
ଜେନିଫର କୁହନ୍ତି ଯେ, ତାଙ୍କର ଚାରି ମାସର ସମ୍ପର୍କ ଏକପାଖିଆ ହୋଇଯାଇଥିଲା ଏବଂ ତାଙ୍କ ପ୍ରେମିକ ତାଙ୍କୁ ଯଥେଷ୍ଟ ସମୟ ଦେଉ ନଥିଲେ। ଯେତେବେଳେ ତାଙ୍କ ସାଙ୍ଗମାନେ ତାଙ୍କୁ ଏହି ସମ୍ପର୍କ ପାଇଁ ଆଉ ଠାରେ ସୁଯୋଗ ଦେବା ଉଚିତ ବୋଲି ପରାମର୍ଶ ଦେଉଥିଲେ ସେ ChatGPT ର ପରାମର୍ଶ ନେଇଥିଲେ।
ଜେନିଫର କହିଥିଲେ, “ମୁଁ ChatGPT କୁ ସବୁକିଛି କହିଥିଲି – ସେ ମୋ ସହିତ କିପରି ବ୍ୟବହାର କରିଥିଲେ, ସେ ମୋତେ କିପରି ଅନୁଭବ କରାଇଥିଲେ, ସବୁକିଛି। ତା ପରେ ChatGPT କହିଥିଲା ଯେ, ଯେଉଁ ସମ୍ପର୍କ କଷ୍ଟ ଦେଉଛି ତାକୁ ରଖିବା ଉଚିତ ନୁହେଁ। ତାଙ୍କଠାରୁ ଭଲ ଆଉ କାହାକୁ ଖୋଜିବା ଉଚିତ।” ChatGPT ତାଙ୍କୁ ବ୍ରେକଅପ୍ କରାଇବାରେ ମଧ୍ୟ ସାହାର୍ଯ୍ୟ କରିଥିଲା।
ବ୍ରେକଅପ୍ ପରେ, ଜେନିଫର ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ନିରନ୍ତର ChatGPT ବ୍ୟବହାର କରିଥିଲେ। ସେ କୁହନ୍ତି ଯେ, ସେ ବହୁତ ଶୀଘ୍ର ଏବଂ ସହଜରେ ସେ ପିଲାକୁ ମୁଣ୍ଡରୁ ବାହାର କରିଦେଇଥିଲେ। ତାଙ୍କୁ ଜମା ବି କଷ୍ଟ ହୋଇନଥିଲା।
ସେ ଆହୁରି ମଧ୍ୟ କହିଥିଲେ ଯେ, ସେ ChatGPT ସହ ଏତେ ଅଧିକ ମିଶିଯାଇଥିଲେ ଯେ, ଥରେ ସେ ତାଙ୍କୁ ‘ବେବ୍’ ବୋଲି ସମ୍ବୋଧନ କରିଥିଲା। ତା ପରେ ଜେନିଫର ହସି ହସି ChatGPT କୁ କହିଥିଲେ ଯେ ସେ ଜଣେ ରୋବୋଟ୍ ଏବଂ ଏହା କରିବା ଉଚିତ୍ ନୁହେଁ।