ଇରାନକୁ ଚକମା ଦେବା ପାଇଁ ଟ୍ରମ୍ପଙ୍କ ପାକିସ୍ତାନକୁ ବଡ଼ ଅଫର: ଦେବେ ପଞ୍ଚମ ପିଢ଼ିର ଲଢୁଆ ବିମାନ, ଭାରତର ବଢ଼ିଲା ଚିନ୍ତା
ଓ୍ଵାଶିଂଟନ/ନୂଆଦିଲ୍ଲୀ: ଇରାନ ବିରୋଧରେ ସାମରିକ ଓ ରଣନୀତିକ ସମର୍ଥନ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ଆଗରେ ଏକ ବଡ଼ ଅଫର ରଖିଛନ୍ତି। ବିଭିନ୍ନ ରିପୋର୍ଟ ଅନୁସାରେ, ଟ୍ରମ୍ପ ପାକିସ୍ତାନକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ପାଞ୍ଚମ ପିଢ଼ିର ଲଢ଼ୁଆ ବିମାନ ଯୋଗାଇବା ସହ ଆର୍ଥିକ ସହାୟତା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ବଦଳରେ ଟ୍ରମ୍ପ ପାକିସ୍ତାନର ସେନା ଓ ସାମରିକ ବିମାନଘାଟିକୁ ଇରାନ ବିରୋଧରେ ବ୍ୟବହାର କରିବାକୁ ଚାହୁଁଛନ୍ତି। ଏହି ଘଟଣା ଭାରତରେ ରାଜନୈତିକ ଓ ସାମରିକ ଚିନ୍ତା ବଢ଼ାଇ ଦେଇଛି।
ବୁଧବାର ଓ୍ଵାଶିଂଟନରେ ଟ୍ରମ୍ପ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ସୟଦ ଅସିମ ମୁନିରଙ୍କ ସହ ଏକ ବନ୍ଦ କକ୍ଷ ବୈଠକ କରିଛନ୍ତି। ଏହି ବୈଠକରେ ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଓ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଟ୍ରମ୍ପ ନିଜେ ସ୍ଵୀକାର କରିଛନ୍ତି ଯେ ମୁନିରଙ୍କ ସହ ଇରାନ ସମ୍ପର୍କିତ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଛି। ସେ କହିଛନ୍ତି, “ପାକିସ୍ତାନ ଇରାନ ସମ୍ପର୍କରେ ବହୁତ ଜାଣେ, ଏବଂ ତାଙ୍କ ସହାୟତା ଆମ ପାଇଁ ଗୁରୁତ୍ଵପୂର୍ଣ୍ଣ।”
ଏକ ରିପୋର୍ଟ ଅନୁସାରେ, ଟ୍ରମ୍ପ ଇରାନ ବିରୋଧୀ ଅଭିଯାନରେ ପାକିସ୍ତାନର ସମର୍ଥନ ପାଇଁ ସାମରିକ ବିମାନଘାଟି ଓ ବନ୍ଦର ବ୍ୟବହାର କରିବାକୁ ଚାହୁଁଛନ୍ତି। ଏହା ସହ ଆମେରିକା ପାକିସ୍ତାନକୁ ନୂଆ ମିସାଇଲ ଟେକ୍ନୋଲୋଜି ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ପ୍ରସ୍ତୁତ। ଏହି ପ୍ରସ୍ତାବ ପାକିସ୍ତାନର ସାମରିକ ଶକ୍ତିକୁ ନାଟକୀୟ ଭାବେ ବଢ଼ାଇବ, ଯାହା ଭାରତ ପାଇଁ ଏକ ବଡ଼ ଚିନ୍ତାର କାରଣ ହୋଇପାରେ।
ଭାରତର ଚିନ୍ତା କାହିଁକି?
ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନରୁ ଚାଲିଆସିଥିବା ବିବାଦୀୟ ସମ୍ପର୍କକୁ ଦୃଷ୍ଟିରେ ରଖି ଏହି ଘଟଣା ନୂଆଦିଲ୍ଲୀରେ ଉଦ୍ବେଗ ସୃଷ୍ଟି କରିଛି। ପାକିସ୍ତାନର ହାତକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଟେକ୍ନୋଲୋଜି ଯିବା ଦ୍ଵାରା ଦୁଇ ଦେଶ ମଧ୍ୟରେ ଶକ୍ତି ସନ୍ତୁଳନ ବଦଳିପାରେ। ଭାରତୀୟ କଂଗ୍ରେସ ନେତା ଜୟରାମ ରମେଶ ଏହାକୁ “ଭାରତୀୟ କୂଟନୀତି ପାଇଁ ଏକ ବଡ଼ ଧକ୍କା” ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, “ଆମେ ଏହା ଉପରେ ଚୁପ ରହିଛୁ, ଯାହା ଆମ ପାଇଁ କ୍ଷତିକାରକ ହୋଇପାରେ।”