୪ ତାରିଖ ଯାଏଁ ଉତ୍ତର ପଶ୍ଚିମରେ ପ୍ରବଳ ବର୍ଷା ଆଲର୍ଟ, ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ

ଜୁଲାଇ ୪ରୁ ୬ ମଧ୍ୟରେ ଆଉ ଏକ ଲଘୁଚାପ ।

ଭୁବନେଶ୍ବର: ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ତେବେ ଏହା 4 ତାରିଖ ପର୍ଯ୍ୟନ୍ତ ଲାଗି ରହିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ କୁହାଯାଇଛି ।

ବର୍ଷା ନେଇ ଆଲର୍ଟ- ୪ ତାରିଖ ଯାଏଁ ଉତ୍ତର ପଶ୍ଚିମରେ ପ୍ରବଳ ବର୍ଷା ଆଲର୍ଟ ଜାରି ହୋଇଛି । ତେବେ ଏତିକି ନୁହେଁ ପୁଣିଥରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି । ଜୁଲାଇ ୪ରୁ ୬ ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଲଘୁଚାପ ସମ୍ଭାବନା ନେଇ ପାଣିପାଗ ବିଶେଷଜ୍ଞଙ୍କ ଆକଳନ କରିଛନ୍ତି । ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହେବ ଲଘୁଚାପ । ଫଳରେ ପୁଣିଥରେ ସେହି ସମୟରେ ବର୍ଷା ହୋଇପାରେ ।

ଏହି ସ୍ଥାନରେ ପ୍ରବଳ ବର୍ଷା- ତେବେ ଆଜି ବର୍ଷା ନେଇ ଅନେକ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, ବରଗଡ଼, ସୋନପୁର, ଅନୁଗୁଳ, ଦେବଗଡ଼ରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ।

ସେହିପରି ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,  ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳରେ ବଜ୍ରପାତ ସହିତ ବର୍ଷା ହେବା ନେଇ ଆକଳନ କରାଯାଇଛି । ଚଳିତ ବର୍ଷ ସାରା ଓଡ଼ିଶାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ ।