10 ବର୍ଷ ପୂର୍ବରୁ ହୋଇଥିଲା ମୃତ୍ୟୁ, ନୋକିଆ ଫୋନ ଖୋଲିଦେଲା ରହସ୍ୟ
ବଲ ଖୋଜୁ ଖୋଜୁ ବନ୍ଦ ଘରୁ ମିଳିଲା କଙ୍କାଳ, ସମସ୍ତେ ଦେଖି ଆଶ୍ଚର୍ଯ୍ୟ
ହାଇଦ୍ରାବାଦ: ବଲ ଖୋଜୁ ଖୋଜୁ ଘର ଭିତରୁ ମିଳିଲା କଙ୍କାଳ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।
ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ନାମପାଲି ଅଞ୍ଚଳରେ ଗୋଟିଏ ପୁରୁଣା ବନ୍ଦ ଘରେ ଏକ ମଣିଷ କଙ୍କାଳ ମିଳିଛି।
କିଛି ଲୋକ କ୍ରିକେଟ୍ ମ୍ୟାଚ୍ ଖେଳୁଥିବା ସମୟରେ ବଲ୍ ଟି ପାଖରେ ଥିବା ଏକ ବନ୍ଦ ଘରେ ପଡିଯିବାରୁ ବଲକୁ ଆଣିବାକୁ ଯାଇ ଯୁବକ ଜଣଙ୍କ ସେହି କଙ୍କାଳକୁ ଦେଖିଥିଲେ। ଏହାପରେ ପୋଲିସକୁ ଖବର ଦିଆଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।
ତେବେ ପୋଲିସର ତଦନ୍ତରୁ ଯେଉଁ ଖବର ମିଳିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପୋଲିସ କହିବା ଅନୁସାରେ, ଏହି କଙ୍କାଳ 55 ବର୍ଷୀୟ ଆମିର ଖାନଙ୍କର, ଯିଏ ଗତ 10 ବର୍ଷ ଧରି ନିଖୋଜ ଥିଲେ। ଏକ ପୁରୁଣା ନୋକିଆ ଫୋନ ସାହାର୍ଯ୍ୟରେ ପୋଲିସ ଏହି କେଶକୁ ସମାଧାନ କରିପାରିଛି।
ଘଟଣାଟି ନାମପାଲି ବଜାର ଅଞ୍ଚଳର ଏକ ଭଙ୍ଗା ଘରର। ଏହି ଘରଟି ଗତ ସାତ ବର୍ଷ ଧରି ବନ୍ଦ ଥିଲା। ପୋଲିସ ତାଲା ଭାଙ୍ଗି ଘର ଯାଞ୍ଚ କରିବା ସମୟରେ ସେଠାରେ ଏକ କଙ୍କାଳ ଏବଂ ଏକ ପୁରୁଣା ନୋକିଆ ଫୋନ ମିଳିଥିଲା।
ପ୍ରାରମ୍ଭରେ ପୋଲିସ ସନ୍ଦେହ କରିଥିଲା ଯେ ଏହା ଏକ ହତ୍ୟା ମାମଲା ହୋଇପାରେ, କିନ୍ତୁ ଫୋନର ତଦନ୍ତ ସମ୍ପୂର୍ଣ୍ଣ କାହାଣୀକୁ ବଦଳାଇ ଦେଇଥିଲା।
ଫୋନ ଚାର୍ଜ କରିଚଲେଇବା ପରେ ଏଥିରେ 84 ଟି ମିସ୍ଡ କଲ୍ ମିଳିଥିଲା, ଯାହା ଆମିର ଖାନଙ୍କ ସମ୍ପର୍କୀୟ ଏବଂ ବନ୍ଧୁମାନେ କରିଥିଲେ। ଏହି କଲ୍ 2015ର ଥିଲା, ଯେତେବେଳେ ଆମିର ଖାନ ନିଖୋଜ ହୋଇଯାଇଥିଲେ। ଏହି ଘରେ ସେ ଏକା ରହୁଥିଲେ।
ପୁଲିସଙ୍କ କହିବା ଅନୁସାରେ, ଏହି ଘରେ ଏକା ରହୁଥିବା ମୁନିର ଖାନଙ୍କ ୧୦ ଜଣ ସନ୍ତାନଙ୍କ ମଧ୍ୟରୁ ଆମିର ଖାନ ତୃତୀୟ ପୁଅ ଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ଅନ୍ୟ କୌଣସି ସ୍ଥାନକୁ ଚାଲିଯାଇଥିଲେ। ତଦନ୍ତରୁ ଜଣାପଡିଛି ଯେ ଆମିରଙ୍କ ମୃତ୍ୟୁ ୨୦୧୫ ମସିହାରେ ସ୍ୱାଭାବିକ ଭାବରେ ହୋଇଥିବ।
ହୁଏତ କୌଣସି ଅସୁସ୍ଥତା କାରଣରୁ। ଫୋନରୁ ମିଳିଥିବା କଲ୍ ଏବଂ ଘରେ ମିଳିଥିବା ପୁରୁଣା ନୋଟ୍ (୨୦୧୬ ବିମୁଦ୍ରାକରଣ ପୂର୍ବର ନୋଟ୍) ଆଧାରରେ ପୋଲିସ ସିଦ୍ଧାନ୍ତ ନେଇଛି ଯେ ତାଙ୍କର ମୃତ୍ୟୁ ବହୁତ ପୂର୍ବରୁ ହୋଇସାରିଛି।