ରକ୍ତ ସମ୍ପର୍କ ହେଲା ବିଷ, ୮୦ ବର୍ଷିୟ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ଦେଲେ ପରିବାର, କ୍ୟାନସର ପାଇଁ ହେଲେ ଅଲୋଡ଼ା
ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ପଳାଇଲେ ପରିବାର ଲୋକ। ଚିକିତ୍ସା ସମୟରେ ବୃଦ୍ଧା ଜଣଙ୍କର ମୃତ୍ୟୁ ହୋଇଛି।
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଅଯୋଧ୍ୟାରୁ ଆସିଛି ଛାତି ଧରାଇଲା ପରି ଘଟଣା। ସୀମା ଟପିଗଲା ନୃଶଂସତା। ସ୍ୱାର୍ଥପର ମଣିଷର ଲଜ୍ଜାଜନକ କାମ। ୮୦ ବର୍ଷିୟ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ିଦେଲେ ପରିବାର ଲୋକ।
ରାତି ଅନ୍ଧାରର ସାହାରାରେ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ପଳାଇଲେ ପରିବାର ଲୋକ। ଚିକିତ୍ସା ସମୟରେ ବୃଦ୍ଧା ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ କହିଛି ଏହି ଘଟଣା ଦର୍ଶନନଗର ମେଡିକାଲ କଲେଜ ଛକ ନିକଟରେ ଘଟିଛି।
ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଦୁଇଜଣ ବୃଦ୍ଧାଙ୍କୁ ଟେକି ଟେକି ରାସ୍ତା କଡ଼ରେ ଶୁଆଇଦେଉଛନ୍ତି। ତାପରେ ଚାଦର ଘୋଡ଼ାଇ ଚାଲିଯାଉଛନ୍ତି। ଆଉ ଜଣେ ମହିଳା ଆସି ମୁହଁରୁ ଚାଦର କାଢ଼ି ସେଠାରୁ ଚାଲି ଯାଉଛନ୍ତି। ରାତି ଦୁଇଟାରେ ପରିବାର ଲୋକ ଏଭଳି ନୃଶଂସ କାମ କରିଛନ୍ତି।
ପୋଲିସ ପକ୍ଷରୁ କୁହାଯାଇଛି ସେମାନେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ ହେଲେ ଅନ୍ଧାର ପାଇଁ ପରିବାର ଲୋକଙ୍କୁ ଚିହ୍ନିବା ସମ୍ଭବ ହେଉନାହିଁ। ମୃତ ବୃଦ୍ଧାଙ୍କ ପରିବାର ଲୋକଙ୍କୁ ଖୋଜିବାକୁ ଏବେବି ତଦନ୍ତ ଚଳାଇଛି ପୋଲିସ।
ବୃଦ୍ଧା ମହିଳାଙ୍କ ବେକରେ ଆଘାତ ଲାଗିଛି। ଯାହା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ସେ କ୍ୟାନସରରେ ପୀଡ଼ିତ ଥିଲେ। ପରିବାର ଲୋକ ବଳିମ୍ବିତ ରାତିରେ ବୃଦ୍ଧା ମହିଳାଙ୍କୁ ଛାଡ଼ି ଚାଲିଯାଇଛନ୍ତି। ଏହି ଘଟଣା ସମ୍ପର୍କରେ ପୋଲିସ ପାଖରେ ଖବର ପହଞ୍ଚିବା ପରେ ବୃଦ୍ଧାଙ୍କୁ ପୋଲିସ ହସ୍ପିଟାଲ ନେଇଥିଲା। ହେଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି।