ଭୁବନେଶ୍ୱର: ଉତ୍ତର ଛତିଶଗଡ଼ ଓ ପାଶ୍ୱର୍ବର୍ତ୍ତୀ ଝାଡ଼ଖଣ୍ଡ ଉପରେ ସୃଷ୍ଟ ଲଘୁଚାପ ଯୋଗୁଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ବିଶେଷ ରିଲିଫ କମିଶନର (ଏସଆରସି) ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସ୍ୱତନ୍ତ୍ର ବୁଲେଟିନ ଅନୁଯାୟୀ, ଏହି ଲଘୁଚାପ ଯୋଗୁଁ ଜୁଲାଇ ୨୮ ସକାଳ ପର୍ଯ୍ୟନ୍ତ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଆଇଏମଡିର ସତର୍କତା:
ଜୁଲାଇ ୨୬ରୁ ୨୭ ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ବିଜୁଳି ଏବଂ ୩୦-୪୦ କିମି ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେଓଗଡ଼ ଓ ସୋନପୁର ଜିଲ୍ଲାରେ ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ବିଜୁଳି ଏବଂ ୩୦-୪୦ କିମି ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା।
ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଅନୁଗୁଳ, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ଏକ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବିଜୁଳି ଏବଂ ୩୦-୪୦ କିମି ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା।
ଜୁଲାଇ ୨୭ ସକାଳରୁ ୨୮ ସକାଳ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଏକ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବିଜୁଳି ଏବଂ ୩୦-୪୦ କିମି ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା।
ଏହି ସମ୍ଭାବ୍ୟ ବର୍ଷା ଓ ଲଘୁଚାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସଆରସି ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ପ୍ରଶାସନିକ ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ଘଡ଼ଘଡ଼ି ସମୟରେ ବିଜୁଳିରୁ ରକ୍ଷା ପାଇବା ପାଇଁ ନିରାପଦ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ଏସଆରସି ଜିଲ୍ଲାପାଳମାନଙ୍କୁ ବିଜୁଳି, ପ୍ରବଳ ବର୍ଷା କିମ୍ବା ବନ୍ୟା ଯୋଗୁଁ କ୍ଷୟକ୍ଷତି ହେଲେ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।